କନକ ବ୍ୟୁରୋ : ରାଜ୍ୟରେ ସଡକ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । କିନ୍ତୁ ଏହାସତ୍ତେ୍ୱ ମଧ୍ୟ ରାଜ୍ୟରେ ଚଳିତବର୍ଷ ୪୭୩୮ ଜଣଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଏନେଇ ସଡ଼କ ସୁରକ୍ଷା ପରିଷଦରେ ସ୍ପଷ୍ଟ କରିଛନ୍ତି ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।
୨୦୨୦ରେ ଓଡ଼ିଶାରେ ୪୭୩୮ ଜଣ ବ୍ୟକ୍ତି ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ ୫ ହଜାର ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ୨୦୧୯ ତୁଳନାରେ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ହାର ୧୧% ହ୍ରାସ ପାଇଛି । ଲକଡାଉନ ଓ ସଟଡାଉନ କାରଣରୁ ଏହି ମୃତ୍ୟୁହାର ହ୍ରାସ ପାଇଥିବା ପଦ୍ମନାଭ କହିଛନ୍ତି । ରାଜ୍ୟରେ ୧୦୦ଟି ଦୁର୍ଘଟଣାରୁ ୪୮ ଜଣଙ୍କର ମୃତ୍ୟୁ ହେଉଥିବା ବେଳେ ଜାତୀୟସ୍ତରରେ ମୃତ୍ୟୁ ସଂଖ୍ୟା ୩୬ ରହିଛି । ଯାଜପୁର, ମୟୂରଭଞ୍ଜ, ସୁନ୍ଦରଗଡ଼, କେଉଁଝର, ଅନୁଗୋଳ, ଢେଙ୍କାନାଳ, ବାଲେଶ୍ୱର, ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ଅଧିକ ସଂଖ୍ୟକ ଲୋକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ।
ରାଜ୍ୟରେ ମୋଟ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁର ୫୩% ମୋଟର ଚାଳକ ରହିଛନ୍ତି । ଆଉ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ମଧ୍ୟରୁ ୮୦ ପ୍ରତିଶତ ବ୍ୟକ୍ତି ହେଲମେଟ ପିନ୍ଧୁନଥିବାରୁ ମୃତ୍ୟୁ ହୋଇଥିବା କହିଛନ୍ତି ପଦ୍ମନାଭ । ଏହାବାଦ୍ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ କମାଇବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି ।ଦୁର୍ଘଟଣା ପୀଡିତଙ୍କୁ ସାହାଯ୍ୟ କରିବା ପାଇଁ ସ୍ବେଛାସେବୀଙ୍କୁ ଫାଷ୍ଟ ରେସପଣ୍ଡର ଟ୍ରେନିଂ ଦିଆଯାଇଛି । ଯାନ ଚାଳକମାନଙ୍କ ପାଇଁ ରିଫ୍ରେସର ଟ୍ରେନିଂ କରାଯାଉଛି । ବ୍ଲାକ ସ୍ପଟର ତ୍ରୁଟି ସୁଧାରିବା ପାଇଁ ସର୍ଭେ କରାଯାଉଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ।