କନକ ବ୍ୟୁରୋ: ଦିଲ୍ଲୀ ସ୍ଥିତ ଭାରତ ମଣ୍ଡପରେ ଆରମ୍ଭ ହୋଇଛି ବିଶ୍ୱ ଐତିହ୍ୟ କମିଟିର ୪୬ ତମ ଅଧିବେଶନ । ଦେଶରେ ପ୍ରଥମ ଥର ହେଉଥିବା ଏହି ବୈଠକକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ଐତିହ୍ୟ କମିଟିକୁ ୧୦ ଲକ୍ଷ ଡଲାର ସହାୟତା ଘୋଷଣା କରିଛନ୍ତି ।

Advertisment

ଉଦଘାଟନୀ ଉତ୍ସବରେ କେନ୍ଦ୍ର ସଂସ୍କୃତି ଓ ପର୍ୟ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ ମଧ୍ୟ ଉପସ୍ଥିତ ଥିଲେ । ଅଧିବେଶନକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ଐତିହ୍ୟ ଅଧିବେଶନର ଆୟୋଜନ ଭାରତରେ ସଫଳତାର ନୂଆ କୀର୍ତ୍ତିମାନ ଗଢିବ । ବିଗତ ବର୍ଷ ଗୁଡିକରେ ଭାରତର ୩୫୦ରୁ ଅଧିକ ଐତିହ୍ୟକୁ ଭାରତ ଫେରାଇ ଅଣାଯାଇଛି । ପ୍ରାଚୀନ ଐତିହ୍ୟ ଭାରତ ଫେରି ଆସିବା ବିଶ୍ୱର ଉଦାରତାକୁ ଦର୍ଶାଉଛି । ବିଶ୍ୱ ଐତିହ୍ୟ କମିଟିର ଏହି ଆୟୋଜନ ଭାରତ ପାଇଁ ଏକ ଗୌରବମୟ ଉପଲବ୍ଧି । ଉତ୍ତରପୂର୍ବ ଭାରତର ପ୍ରାଚୀନ ଐତିହ୍ୟ ‘ମୋଇଦମ’କୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ସୂଚୀରେ ସାମିଲ କରିବା ପ୍ରସ୍ତାବ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହା ଭାରତର ୪୩ ତମ ବିଶ୍ୱ ଐତିହ୍ୟ ଏବଂ ଉତ୍ତରପୂର୍ବ ଭାରତର ପ୍ରଥମ ଐତିହ୍ୟ ହେବ, ଯାହାକୁ ସାଂସ୍କୃତିକ ଐତିହ୍ୟର ମାନ୍ୟତା ମିଳିବ । ଜୁଲାଇ ୨୧ ତାରିଖରୁ ଆରମ୍ଭ ହୋଇଥିୱା ବିଶ୍ୱ ଐତିହ୍ୟ କମିଟିର ଅଧିବେଶନ ଜୁଲାଇ ୩୧ ତାରିଖ ଯାଏଁ ଚାଲିବ।