ଦେଶରେ ବିଗୁଡିଛି ନିଯୁକ୍ତି ସ୍ଥିତି : ସିଏମ୍‌ଆଇଇ ରିପୋର୍ଟ ମୁତାବକ ନଭେମ୍ବରରେ ୩୫ ଲକ୍ଷ ଲୋକ ବେକାର

71

କନକ ବ୍ୟୁରୋ : ଦେଶର ନିଯୁକ୍ତି ସ୍ଥିତି ପୁଣି ଖରାପ ଆଡ଼କୁ ଗତି କରିଛି । ଲକ୍‌ଡାଉନ୍ ଘୋଷଣା ହେବା ପରେ ଅତ୍ୟନ୍ତ ଖରାପ ଅବସ୍ଥାକୁ ଚାଲିଯାଇଥିବା ନିଯୁକ୍ତି କ୍ଷେତ୍ରରେ ଧୀରେ ଧୀରେ ସୁଧାର ହେଉଥିଲା । କିନ୍ତୁ ନଭେମ୍ବରରେ ପୁଣି ସ୍ଥିତି ବିଗିଡ଼ିଯାଇଛି । ଏହି ମାସରେ ପ୍ରାୟ ୩୫ ଲକ୍ଷ ଲୋକ ବେକାର ହୋଇଛନ୍ତି ବୋଲି ଘରୋଇ କ୍ଷେତ୍ରର ସଂସ୍ଥା‌ ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନମି (ସିଏମ୍‌ଆଇଇ) ପକ୍ଷରୁ ଆକଳନ କରାଯାଇଛି । ଗତ ଅକ୍ଟୋବରରେ ୫୦ ହଜାର ଲୋକ ଚାକିରି ହରାଇଥିଲେ । ସିଏମ୍‌ଆଇର କଞ୍ଜ୍ୟୁମର୍ସ ପିରାମିଡସ୍‌ ହାଉସ୍‌ହୋଲ୍‌ଡ ସର୍ଭେ ଅନୁଯାୟୀ ନଭେମ୍ବରରେ ନିଯୁକ୍ତିରେ ସକ୍ରିୟ ଥିବା ଲୋକଙ୍କ ସଂଖ୍ୟା ହେଉଛି ୩୯.୯୬ କୋଟି । ଚଳିତ ବର୍ଷ ମାର୍ଚ୍ଚରେ ଏହା ଠାରୁ ଅଧିକ ଏକ କୋଟି ଲୋକ ନିଯୁକ୍ତି କ୍ଷେତ୍ରରେ ସକ୍ରିୟ ଥିଲେ ।

ଚଳିତ ବର୍ଷ ଲକ୍‌ଡାଉନ୍ ଘୋଷଣା ‌ହେବା ପରେ ପ୍ରାୟ ୧୨ କୋଟି ଲୋକ ଚାକିରି ହରାଇଥିଲେ । କିନ୍ତୁ ଜୁଲାଇ ପରଠାରୁ ସ୍ଥିତିରେ ସୁଧାର ହୋଇଥିଲା ଓ ସେହି ଧାରା ସେପ୍ଟେମ୍ବର ପର୍ଯ୍ୟନ୍ତ ଜାରି ରହିଥିଲା । ଅକ୍ଟୋବର ପରଠାରୁ ସ୍ଥିତି ପୁଣି ଖରାପ ହୋଇଛି । ଉଭୟ ଅକ୍ଟୋବର ଓ ନଭେମ୍ବରରେ ଲୋକମାନେ ଚାକିରି ହରାଇଛନ୍ତି । ଡିସେମ୍ବର ତୃତୀୟ ସପ୍ତାହ ସୁଦ୍ଧା ନିଯୁକ୍ତି ହାର ୩୭.୫% ଥିବା ବେଳେ ବେକାରି ହାର ୯.୫% ରହିଛି। ଗତବର୍ଷ ଡିସେମ୍ବର ବେଳକୁ ୪୦.୫ କୋଟି ଲୋକ ନିଯୁକ୍ତି କ୍ଷେତ୍ରରେ ସକ୍ରିୟ ଥିଲେ। ଚଳିତ ବର୍ଷ ସେମାନଙ୍କ ସଂଖ୍ୟା ଅତିବେଶିରେ ୩୯.୫ କୋଟି ପର୍ଯ୍ୟନ୍ତ ପହଞ୍ଚିବ ବୋଲି ଅନୁମାନ କରାଯାଉଛି ।

ସିଏମ୍‌ଆଇଇର ପରିଚାଳନା ନିର୍ଦେଶକ ଓ ସିଇଓ ମହେଶ ବ୍ୟାସ କହିଛନ୍ତି ଯେ ଶ୍ରମ ବଜାରରେ ଘଟୁଥିବା ହ୍ରାସ ଯେତିକି ଚିନ୍ତାର ବିଷୟ ନୁହେଁ ତା’ଠାରୁ ବଡ଼ ସମସ୍ୟା ହେଉଛି ଭଲ ନିଯୁକ୍ତି ଉଭାନ ହୋଇଯାଉଛି । ୨୦୨୦ରେ ମହିଳାଙ୍କ ‌ନିଯୁକ୍ତିରେ ଦ୍ରୁତ ହ୍ରାସ ଘଟିଛି । ଦେଶର ‌ଶ୍ରମ ଶକ୍ତିରେ ମହିଳାଙ୍କ ଅବଦାନ ୧୧% ରହିଥିବା ବେଳେ ପୁରୁଷଙ୍କ ଅବଦାନ ୭୧% ଭଳି ଉଚ୍ଚ ସ୍ତରରେ ରହିଛି । ଲକ୍‌ଡାଉନ୍ ପରଠାରୁ ମହିଳାଙ୍କ କ୍ଷେତ୍ରରେ ବେକାରି ହାର ୧୭% ଭଳି ଉଚ୍ଚ ସ୍ତରରେ ଥିବା ବେଳେ ପୁରୁଷଙ୍କ କ୍ଷେତ୍ରରେ ତାହା ୬ ପ୍ରତିଶତ ରହିଛି । ୨୦୨୦ ଏପ୍ରିଲ୍‌ରେ ୧୩.୯% ମହିଳା ଚାକିରି ହରାଇଥିଲେ । ନଭେମ୍ବର ସୁଦ୍ଧା ଚାକିରି ହରାଇଥିବା ପୁରୁଷଙ୍କ ସଂଖ୍ୟାରେ ସୁଧାର ହୋଇଥିବା ବେଳେ ମହିଳାମାନଙ୍କୁ କିନ୍ତୁ ସେହି ସୌଭାଗ୍ୟ ମିଳିନାହିଁ ବୋଲି ସିଏମ୍‌ଆଇ ଏହାର ରିପୋର୍ଟରେ ଜଣାଇଛି ।