କନକ ବ୍ୟୁରୋ: ସବୁ କଳ୍ପନା ଜଳ୍ପନାର ଅନ୍ତଃ ଘଟାଇ ଶେଷରେ ଖୋଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର । ପୂର୍ବ ପ୍ରସ୍ତୁତି ଅନୁସାରେ ଶୁଭ ମୁହୁର୍ତରେ, ରତ୍ନଭଣ୍ଡାରକୁ ପ୍ରବେଶ କରିଛନ୍ତି ଯାଂଚ କମିଟିର ସଦସ୍ୟ । ଏଥିସହ ୪୬ବର୍ଷ ପରେ ହେବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି ମଣତି ।

Advertisment

ଅପେକ୍ଷା ଥିଲା ମହାର୍ଘ୍ୟ ମୁହୁର୍ତର, ବଢ଼ୁଥିଲା ଉତ୍କଣ୍ଠା, ଭାବ ବିହ୍ବଳ ହେଉଥିଲେ ଭକ୍ତ, ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଉଥିଲା ଚଉଦିଗ । ଜୟ ଜଗନ୍ନାଥ ଜୟ ଜୟକାରରେ କମ୍ପୁଥିଲା ଗଗନ ପବନ । ଆସିଥିଲା ଶୁଭମୁହୁର୍ତ୍ତ। ସମୟ ଦିନ ୧ଟା ୨୮ ମିନିଟ୍ । ନିର୍ଦ୍ଧାରିତ ସମୟରେ ରତ୍ନଭଣ୍ଡାର ଭିତରକୁ ପ୍ରବେଶ କରିଥିଲେ ତଦାରଖ କମିଟିର ୧୫ ଜଣିଆ ସଦସ୍ୟ । ବାହାର ଭଣ୍ଡାର ଭିତରେ ପ୍ରବେଶ କରିବା ପରେ ତାଲା ଭାଂଗି ଭିତର ଭଣ୍ଡାର ଭିତରକୁ ପ୍ରବେଶ କରିଥିଲେ କମିଟି ସଦସ୍ୟ । ରତ୍ନଭଣ୍ଡାର ଖୋଲିବାରେ ସଫଳ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସରେ ପୋଷ୍ଟ କରି ସୂଚନା ଦିଆଯାଇଥିଲା ।

ତୁମ ଇଚ୍ଛାରେ ଓଡ଼ିଆ ଜାତି ଆଜି ତାର ଅସ୍ମିତାର ପରିଚୟକୁ ନେଇ ଆଗକୁ ବଢ଼ିବାକୁ ଉଦ୍ୟମ ଆରମ୍ଭ କରିଛି । ତୁମ ଇଚ୍ଛାରେ ପ୍ରଥମେ ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିଲା । ତୁମ ଇଚ୍ଛାରେ ୪୬ ବର୍ଷ ପରେ ଆଜି ଏକ ମହତ୍ ଉଦ୍ଦେଶ୍ୟ ନେଇ ରତ୍ନ ଭଣ୍ଡାର ଖୋଲାଗଲା । ଏ ମହାନ୍ କାର୍ଯ୍ୟ ସଫଳ ହେବ ବୋଲି ମୋର ଦୃଢ଼ ବିଶ୍ୱାସ ।

ରତ୍ନଭଣ୍ଡାର ଖୋଲିବା ସହ ଶ୍ରୀମନ୍ଦିର ଇତିହାସରେ ଯୋଡି ହୋଇ ଯାଇଛି ଆଉ ଏକ ନୂଆ ଫର୍ଦ। ପ୍ରଥମ ଥର ପାଇଁ ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ରତ୍ନ ଅଳଙ୍କାରର ଗଣତି ମଣତି ହେବାକୁ ଯାଉଛି। ବଡ କଥା ହେଉଛି, ରତ୍ନଭଣ୍ଡାର ଖୋଲିବାକୁ ବାରମ୍ବାର ଦାବି ସତ୍ୱେ, ରାଜ୍ୟରେ ସ୍ଥାୟୀ ସରକାର ଥିଲେ ବି ଖୋଲିବା ସମ୍ଭବ ହୋଇନଥିଲା । ୨୦୧୮ରେ ପୂର୍ବ ସରକାର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲେ ବି ଅଧାରୁ ବିଫଳ ହୋଇଥିଲେ । ଚାବି ନଥିବାରୁ ଅଧାରୁ ଫେରି ଆସିଥିଲେ ଭିତରକୁ ଯାଇଥିବା ଟିମ୍ । ତେଣୁ ଏଥର ରତ୍ନଭଣ୍ଡାର ଖୋଲିବା ପାଇଁ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରିଛନ୍ତି ସରକାର । ପ୍ରସ୍ତୁତ ହୋଇଥିବା ଏସଓପି ଅନୁସାରେ ପ୍ରଥମେ ରତ୍ନଭଣ୍ଡାର ଖୋଲାଯାଛି । ଦ୍ୱିତୀୟରେ ନିର୍ଦ୍ଧାରିତ ସ୍ଥାନକୁ ରତ୍ନ ସବୁକୁ ସ୍ଥାନାନ୍ତର କରାଯାଉଛି । ତୃତୀୟ ଗଣତି ମଣତି କରାଯିବ ।