କରୋନା ନେଲା ଆଉ ୧ ଜୀବନ: ଗଂଜାମର ଜଣେ ୪୬ ବର୍ଷୀୟ ବ୍ୟକ୍ତିଙ୍କ କରୋନାଜନିତ ମୃତ୍ୟୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା; ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୫କୁ ବୃଦ୍ଧି

1,069

କନକ ବ୍ୟୁରୋ: ରାଜ୍ୟରେ ଭୟଙ୍କର ହେଉଛି କରୋନାର ସ୍ଥିତି । ଗତକାଲି କରୋନା ମହାମାରୀରେ ୨ ଆକ୍ରାନ୍ତ ଜୀବନ ହାରିଥିବା ବେଳେ ଆଜି ଆଉ ଜଣେ କୋଭିଡ-୧୯ ଭୁତାଣୁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ୪୬ ବର୍ଷୀୟ ଯୁବକ କରୋନା ମହାମାରୀରେ ସଂକ୍ରମିତ ହୋଇ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତେବେ ତାଙ୍କର ଚିତିସ୍ତାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଫଳରେ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ ୧୫କୁ ବୃଦ୍ଧି ପାଇଛି ।

ଅନ୍ୟପଟେ ଆଜିର ମୃତ୍ୟୁକୁ ମିଶାଇ କେବଳ ଗଂଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଥିବା ବେଳେ ଭୁବନେଶ୍ୱରର ୩ ଜଣ, ଖୋର୍ଦ୍ଧାର ଜଣେ, କଟକର ଜଣେ, ପୁରୀର ଜଣେ, ବରଗଡର ଜଣେ ଅଛନ୍ତି । ଏପ୍ରିଲରେ ରାଜ୍ୟରେ କରୋନାରେ ଜଣକ ମୃତ୍ୟୁ ହୋଇଥିବା ବେଳେ ମେର ୫ ଜଣକ ଓ ଜୁନରେ ୯ ଜଣଙ୍କ କରୋନା ଜନିତ ମୃତ୍ୟୁ ଘଟିଲାଣି ।

ଅନ୍ୟପଟେ, ଆଜି ରାଜ୍ୟରେ ଆଜି ୧୭ ଜିଲ୍ଲାରୁ ୧୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୧୩୭ ଜଣ ଥିବା ବେଳେ ୬ ଜଣ ସ୍ଥାନୀୟ ଅଂଚଳର । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ହଜାର ୩ ଶହ ୩ରେ ପହଚିଂଛି । ଗଂଜାମରୁ ସର୍ବାଧିକ ୩୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୦ ଜଣ,ଖୋର୍ଦ୍ଧାରୁ ୧୬ ଜଣ, ନୟାଗଡରୁ ୧୩ ଜଣ, ବାଲେଶ୍ୱରରୁ ୧୩ ଜଣ,ସୁନ୍ଦରଗଡରୁ ୧୨ ଜଣ, କେନ୍ଦ୍ରାପଡାରୁ ୧୦ ଜଣ, ଓ ବରଗଡ, ବଲାଙ୍ଗୀର,ଜଗତସିଂହପୁର, ଅନୁଗୁଳରୁ ଜଣେ ଲେଖାଁଏ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ଢେଙ୍କାନାଳରୁ ୩ ଜଣ, ଭଦ୍ରକରୁ ୪ ଜଣ, କଳାହାଣ୍ଡିରୁ ୬ ଜଣ, କେନ୍ଦୁଝରରୁ ୨ ଜଣ, ସମ୍ବଲପୁରରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।