ଲଦାଖକୁ ଚୀନ୍ ମାନଚିତ୍ରରେ ଦେଖାଇବା ପ୍ରସଙ୍ଗରେ କ୍ଷମା ପ୍ରାର୍ଥନା କଲା ଟ୍ୱିଟର : ଭାରତର ଭୂଖଣ୍ଡକୁ ଚୀନରେ ଥିବା ଦର୍ଶାଇବା ପରେ ବିରୋଧର ସମ୍ମୁଖୀନ ହୋଇଥିଲା ଟ୍ୱିଟର

166

କନକ ବ୍ୟୁରୋ : ଲଦାଖକୁ ଚୀନ୍ ମାନଚିତ୍ରରେ ଦେଖାଇବା ପ୍ରସଙ୍ଗରେ କ୍ଷମା ପ୍ରାର୍ଥନା କରିଛି ଟ୍ୱିଟର । ଭାରତର ଭୂଖଣ୍ଡକୁ ଟ୍ୱିଟର ଚୀନ୍ରେ ଥିବା ଦର୍ଶାଇବା ପରେ ବିରୋଧର ସମ୍ମୁଖୀନ ହୋଇଥିଲା । ଏହା ଉପରେ ସ୍ପଷ୍ଟୀକରଣ ରଖିବା ଓ ତଥ୍ୟ ଗୋପନୀୟତା ଉପରେ ମତ ରଖିବାକୁ ଭାରତର ଯୁଗ୍ମ ସଂସଦୀୟ କମିଟି ଟ୍ୱିଟରକୁ ସମନ କରିଥିଲେ । ଆଜି ଟ୍ୱିଟର କର୍ତୃପକ୍ଷ କମିଟିରେ ହାଜର ହୋଇ ନିଜର ଭୁଲ ସ୍ୱିକାର କରିଚନ୍ତି । ଏବଂ ଭୁଳ୍ ପାଇଁ ମୌଖିକ ଭାବେ କ୍ଷମା ମାଗିଛନ୍ତି ।

ଟ୍ୱିଟରର ଏମିତି ଭୁଲ ପାଇଁ ଯୁଗ୍ମ ସଂସଦୀୟ କମିଟି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିପାଇଁ କମିଟି ପକ୍ଷରୁ ଲିଖିତ ଓ ସତ୍ୟପାଠ ଜରିଆରେ କ୍ଷମା ମାଗିବାକୁ ଟ୍ୱିଟରକୁ କୁହାଯାଇଛି । ଟ୍ୱିଟର ପକ୍ଷରୁ କୁହାଯାଇଛି ଯେ ଭାରତ ସରକାରଙ୍କ ସହିତ ମିଳିତ ଭାବେ କାମ କରିବାକୁ ଟ୍ୱିଟର ସର୍ବଦା ପ୍ରତିଶ୍ରୁତି ବଦ୍ଧ । ସଂସ୍ଥା ସର୍ବଦା ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତାକୁ ସମ୍ମାନ ଦେଇଥାଏ ।

ଆଗକୁ ମଧ୍ୟ ଟ୍ୱିଟର ସୀମା ମଧ୍ୟରେ ରହି କାର୍ଯ୍ୟ କରିବ ବୋଲି ଟ୍ୱିଟର ପକ୍ଷରୁ କୁହାଯାଇଛି । ଅକ୍ଟୋବର ୧୮ତାରିଖରେ ଲଦାଖର ଜିଓ-ଲୋକେସନକୁ ଚୀନ୍ ଅନ୍ତର୍ଗତ ବୋଲି ଦର୍ଶାଇଥିଲା ଟ୍ୱିଟର । ସୁରକ୍ଷା ବିଶେଷଜ୍ଞ ନୀତିନ ଗୋଖଲେ ପ୍ରଥମେ ଭୁଲ୍ ଜିଓ-ଲୋକେସନ ନେଇ ଖବର ଦେଇଥିଲେ । ଏହାକୁ ନେଇ ଦେଶରେ ଟୁଇଟରକୁ ସମାଲୋଚନା କରାଯାଇଛି ।