କନକ ବ୍ୟୁରୋ: ରାଜଧାନୀରେ ୪ ଶହ ପାର୍ କଲା ଦୈନିକ ସଂକ୍ରମଣ । ଆଜି ଭୁବନେଶ୍ୱରରୁ ମୋଟ ୪୫୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ସେଥିମଧ୍ୟରୁ ୯୧ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୩୬୦ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡିଛି । ତେବେ ରାଜଧାନୀରୁ ଏତେ ମାତ୍ରାରେ ଲୋକାଲ୍ କେସ୍ ସାମ୍ନାକୁ ଆସିବା ସାଧାରଣ ଲୋକଙ୍କ ମନରେ ଛନକା ପଶାଇଛି ।

Advertisment

ବିଏମସିର ରିପୋର୍ଟ ମୁତାବକ, ଆଜି କ୍ୱାରେଣ୍ଟାଇନରେ ଥିବା ୯୧ ଜଣ ଲୋକ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାସହ ବଡଗଡ, ବରମୁଣ୍ଡା, ବିଜେପି ନଗର, ନୟାପଲ୍ଲୀ. ସାମନ୍ତରାପୁର, ଖଣ୍ଡଗିରି ଆଦି ଅଂଚଳରୁ ଏକାଧିକ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖାଲି ସେତିକି ନୁହେଁ, ପୋଖରୀପୁଟ, ୟୁନିଟ୍-୮, ନୀଳାଦ୍ରି ବିହାର ଆଦି ଅଂଚଳରୁ ମଧ୍ୟ ଲୋକାଲ୍ କେସ୍ ସାମ୍ନାକୁ ଆସିଛି ।

ଏହାକୁ ମିଶାଇ ଭୁବନେଶ୍ୱରରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୩୧୫କୁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜଧାନୀର ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୫,୩୪୧କୁ ବୃଦ୍ଧି ପାଇଛି । ଗତ ୨୪ ଘଂଟା ଭିତରେ  ରାଜଧାନୀର ଆଉ ୧୧୭ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ବିଏମସି ରିପୋର୍ଟ ଦେଇଛି ।