ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଉପରେ ପଡିଲା ବଜ୍ରପାତ । ଏମିତି ଧମାକା ହେଲା ଯେ ଥରି ଉଠିଲା ସମ୍ପୂର୍ଣ୍ଣ ଅଞ୍ଚଳ

659

କନକ ବ୍ୟୁରୋ : ରାଜସ୍ଥାନର ଭିଲୱାଡା ଜିଲ୍ଲା ହନୁମାନନଗର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଗୋଟିଏ ଟ୍ରକରେ ପାଖା ପାଖି ୪୫୦ ଟି ଗ୍ୟାସ ସିଲିଣ୍ଡର ବୋଝେଇ ହୋଇ ଯାଉଥିବା ବେଳେ ହଠାତ ଟ୍ରକ ଉପରେ ବଜ୍ରପାତ ହୋଇଥିଲା । ଫଳରେ ଟ୍ରକରେ ନିଆଁ ଲାଗିଯାଇଥିଲା । ଏହି ନିଆଁ ଲାଗିଯିବା ଫଳରେ ଟ୍ରକରେ ବୋଝେଇ ହୋଇଥିବା ସିଲିଣ୍ଡରଗୁଡିକ ଫାଟିବାକୁ ଆରମ୍ଭ କରିଥିଲା । ଏହି ବିସ୍ଫୋରଣ ଏତେ ଭୟଙ୍କର ଥିଲା ଆଖ ପାଖ ଅଞ୍ଚଳ ଥରିବାକୁ ଲାଗିଥିଲା ।

ଭିଲୱାଲା ପୋଲିସ ଅଧିକ୍ଷକ ବିକାଶ ଶର୍ମାଙ୍କ କହିବା ମୁତାବକ ଜୟପୁରରୁ ୪୦୦ ରୁ ଅଧିକ ଗ୍ୟାସ ସିଲିଣ୍ଡର ନେଇ ଟ୍ରକଟି ରାଷ୍ଟ୍ରୀୟ ରାଜମାର୍ଗ ୫୨ ଦେଇ କୋଟା ଯାଉଥିଲା । ଟିକଡ ଗାଁ ନିକଟରେ ଟ୍ରକଟି ଏକ ଡିଭାଇଡର ଦେହରେ ପିଟି ହୋଇଯିବାରୁ ଟ୍ରକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।  ଏହି ସମୟରେ ସେହି ଅଞ୍ଚଳରେ ବର୍ଷା ସହ ଘଡ ଘଡି ଓ ବିଜୁଳି ମାରୁଥିଲା । ଏହି ବଜ୍ରପାତ ଫଳରେ ଟ୍ରକରେ ନିଆଁ ଲାଗିଯାଇଥିଲା । ଏହାପରେ ଗୋଟିଏ ପରେ ଗୋଟିଏ ଗ୍ୟାସ ସିଲିଣ୍ଡର ଫାଟିବାକୁ ଆରମ୍ଭ କରିଥିଲା ।

ସୂଚନା ପାଇଁ ପୋଲିସ ଘଟଣା ସ୍ଥଳରେ ପହଂଚି ପ୍ରଥମେ ରାସ୍ତାର ଦୁଇ ପାଶ୍ୱରେ ଯାତାୟତ ବନ୍ଦ କରିଦେଇଥିଲା । କାରଣ ବିସ୍ଫୋରଣୁ ନିଆଁ ଏତେ ଦୂରକୁ ଛିଟିକି ପଡୁଥିଲା କି କୌଣସି ଯାନରେ ନିଆଁ ଲାଗିଯିବାର ସମ୍ଭାବନାକୁ ଏଡାଇ ଦିଆଯାଇ ପାରୁ ନଥିଲା ।
ଏହି ଦୁର୍ଘଟଣାରେ ଟ୍ରକଟି ସମ୍ପୂର୍ଣ୍ଣ ଜଳି ଯାଇଥିଲେ ବି କେହି ମୃତାହତ ହୋଇଥିବା ସୂଚନା ମିଳିପାରି ନାହିଁ ।