କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ମତଦାନ । ଦିନ ୧୨ଟା ସୁଦ୍ଧା ୪୫% ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବିନ୍ଦ୍ର ସାହୁ । ଗୋଟିଏ ଜିଲ୍ଲାକୁ ଛାଡି ଅନ୍ୟ ସବୁ ଜିଳ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ୍ ଅଛି ବୋଲି ସୂଚନା ରହିଛି ।

Advertisment

ଅନ୍ୟପଟେ ଯାଜପୁରରେ କିଛି ବୁଥରେ ମତଦାନକୁ ନେଇ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଛି । ଯାଜପୁର ବିଞ୍ଝାରପୁରରେ ମତଦାନ ବେଳେ ଏଳି ସ୍ଥିତି ସୃଷ୍ଟି ହୋଇଛି । ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକଙ୍କୁ ଆକ୍ରମଣ । ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି କିଛି ଦୁବୃର୍ତ୍ତ । କନକ ନ୍ୟୁଜ୍ର ସାମ୍ବାଦିକ ବିଜୟ ସାହୁ, କଳିଙ୍ଗ ଟିଭି ଓ ଅର୍ଗସ୍ର ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି । ଦୁବୃର୍ତ୍ତଙ୍କ ମାଡରେ ସାମ୍ବାଦିକ ମାନେ ଲହୁଲୁହାଣ ହୋଇଛନ୍ତି । ଏପରିକି ଅର୍ଗସର ସାମ୍ବାଦିକଙ୍କୁ ଅପହରଣ କରିବାକୁ ମଧ୍ୟ ଉଦ୍ୟମ କରିଥିଲେ ଦୁବୃର୍ତ୍ତ ।

ମିଳିଥିବା ସୂଚନା ମୁତାବକ, ବିଞ୍ଝାରପୁର ବ୍ଲକ ବାଛୁଳ ପଂଚାୟତରେ ୪ ଓ ୬ ନମ୍ବର ବୁଥରୁ ଭୋଟ୍ ବାକ୍ସ ଉଠାଇ ନେଇଥିବାର ଖବର ସାମ୍ନାକୁ ଆସିଥିଲା । ଭୋଟବାକ୍ସକୁ ପୋଖରୀ ଭିତରେ ଫିଙ୍ଗାଯାଉଥିବାର ଖବର ଆସିବା ପରେ ସାମ୍ବାଦିକ ମାନେ ଖବରର ସତ୍ୟତା ଯାଞ୍ଚ ପାଇଁ ଉକ୍ତ ସ୍ଥାନରେ ପହଞ୍ଚିଥିଲେ । ପୋଖରୀରେ ପକାଯାଇଥିବା ଭୋଟବାକ୍ସର ଭିଡ଼ିଓ କରୁଥିବା ବେଳେ କିଛି ଲୋକ ଏକତ୍ରୀତ ହୋଇ ସାମ୍ବାଦିକଙ୍କୁ ମାଡ ମାରିଥିଲେ । ଏପରିକି ଫୋନ ମଧ୍ୟ ଛଡାଇ ନେଇଥିଲେ । ଗାଡିକୁ ଭାଙ୍ଗିବା ସହ ଗୋବର ପକାଇଥିଲେ । ତେବେ କ୍ୟାମେରାରେ ଦୁବୃର୍ତ୍ତଙ୍କ ଏହି ଉନ୍ମତ୍ତକାଣ୍ଡର ପୂରା ଭିଡିଓ ସୁଟ୍ ହୋଇଥିଲା ।
ଯେହେତୁ ଭିଡ଼ିଓରେ ଦୁବୃର୍ତ୍ତ ମାଡ ମାରୁଥିବାର ସ୍ପଷ୍ଟ ଚିତ୍ର ରହିଛି, ତେଣୁ ପୋଲିସ ଏହି ଘଟଣାରେ କଣ କାର୍ୟ୍ୟାନୁଷ୍ଠାନ ନେଉଛି ତାହା ଉପରେ ସମସ୍ତଙ୍କର ନଜର ରହିଛି । କିନ୍ତୁ ପ୍ରଶ୍ନ ଉଠୁଛି, ଦୁବୃର୍ତ୍ତ ଭୋଟ ବାକ୍ସ ଉଠାଇ ନେଉଥିବାର ଖବର ଆସିଥିଲେ ମଧ୍ୟ ପୋଲିସ କାହିଁକି ବିଳମ୍ବରେ ପହଞ୍ଚିଥିଲା । ଏଭଳି ଏକ ସମ୍ବେଦନଶୀଳ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କାହିଁକି କଡାକଡି କରାଗଲାନି । ଏହି ଘଟଣାରେ ନିର୍ବାଚନ କମିଶନ ନୀରବଦ୍ରଷ୍ଟା କାହିଁକି?