୪୮ ଘଣ୍ଟା ବିତିଗଲା, ଅପହୃତ ରାଉରକେଲା କ୍ରସର ମାଲିକଙ୍କ ମିଳୁନି ପତ୍ତା । ଫୋନ କରି କୋଟିଏ ଟଙ୍କା ମାଗୁଛନ୍ତି ଅପହରଣକାରୀ

265

କନକ ବ୍ୟୁରୋ : ରାଉରକେଲା ରାଜପଥ ଉପରୁ କ୍ରସର ମାଲିକଙ୍କୁ ରହସ୍ୟମୟ ଅପହରଣର ୪୮ ଘଂଟା ବିତି ଗଲାଣି । ହେଲେ ସୁନ୍ଦରଗଡ ପୁଲିସର ହାତ ଖାଲି । ନା ଅପରାଧୀଙ୍କ ପାଖରେ ପୁଲିସ ପହଂଚି ପାରିଛି, ନା ଅପହୃତ କ୍ରସର ମାଲିକ ପ୍ରଦୀପ କୁଣ୍ଡୁଙ୍କୁ ଠାବ କରିପାରିଛି । ଅନ୍ୟପଟେ ପ୍ରଦୀପ କୁଣ୍ଡୁଙ୍କ ପତ୍ନୀଙ୍କୁ ଫୋନ କରି ଅପହରଣକାରୀ ଟଙ୍କା ଦାବି କରିଥିବା ଏସପି ସ୍ପଷ୍ଟ କରିଛନ୍ତି ।

କ୍ରସର ମାଲିକ ପ୍ରଦୀପ କୁଣ୍ଡୁଙ୍କୁ କେଉଁମାନେ ଅପହରଣ କରିଛନ୍ତି ? ତାଙ୍କର ଉଦ୍ଦେଶ୍ୟ କଣ? ବ୍ୟବସାୟିକ ଶତ୍ରୁତା, ଦାଦା ବଟି ପାଇଁ ନା ଏହା ଅପରାଧୀ ଗୋଷ୍ଠୀଙ୍କ କାମ? ଏସବୁ ପ୍ରଶ୍ନର ଉତର ଖୋଜୁଛି ପୁଲିସ । ସ୍ୱତନ୍ତ୍ର ଟିମ ଗଠନ କରାଯାଇ ସମ୍ଭାବ୍ୟ ସ୍ଥାନଗୁଡିକରେ ଚଢାଉ କରାଯାଇଛି । ତେବେ ସୁନ୍ଦରଗଡ ଏସପି ଅପହରଣ ମାମଲାରେ ପାହାଡି ଚିତା, କିମ୍ବା ପିଏଲ୍୍ଏଫ୍ଆଇ ଭଳି ସଂଗଠନର ସଂପୃକ୍ତିକୁ ଅଗ୍ରାହ୍ୟ କରିଦେଇଛନ୍ତି । ପ୍ରଦୀପଙ୍କୁ ଉଦ୍ଧାର ପାଇଁ ରାଜ୍ୟ ବାହାରକୁ ଏକ ଟିମ ଯାଇଥିବା ସେ ସୂଚନା ଦେଇଛନ୍ତି ।

ଅପହୃତ କ୍ରସର ମାଲିକ ପ୍ରଦୀପ କୁଣ୍ଡୁଙ୍କର କୁମଝରିଆ ପଂଚାୟତର ବିଜାବାହାର ଠାରେ ତାରିଣୀ ଷ୍ଟୋନ କ୍ରସର ୟୁନିଟ ରହିଛି । ଗତ ଶନିବାର ବିଳମ୍ବିତ ସନ୍ଧ୍ୟାରେ ନିଜ କାରରେ ରାଉରକେଲା ସ୍ଥିତ ବାସଭବନକୁ ଫେରୁଥିଲେ । ଏହି ସମୟରେ ତାଙ୍କୁ ଅପହରଣ କରାଯାଇଛି ।