କନକ ବ୍ୟୁରୋ : ଦେଶରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ହୁ ହୁ ହୋଇ ବଢିଚାଲିଛି । ମଙ୍ଗଳବାର ସଂକ୍ରମଣ ମାମଲା ୩ ହଜାର ଉପରେ ଥିବାବେଳେ ବୁଧବାର ୪ ହଜାର ଟପିଛି । ୨୪ ଘଣ୍ଟାରେ ଦେଶରେ ୪ ହଜାର ୪୩୫ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ମାମଲା ୨୩ ହଜାର ପାର୍ କରିଛି । ସେହିପରି ଦିନକରେ ଦେଶରେ ୧୫ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ୬ ମାସ ପରେ ଏହି ସଂକ୍ରମଣ ସବୁଠୁ ଅଧିକ ରହିଛି । ଶେଷ ଥର ପାଇଁ ୨୦୨୨ ସେପ୍ଟେମ୍ବର ୨୫ରେ ସଂକ୍ରମଣ ମାମଲା ୪ ହଜାର ଟପିଥିଲା । ଏବେ ୧୬୩ ଦିନ ପରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ସବୁଠୁ ଅଧିକ ରହିଛି ।

Advertisment

ତେବେ ନଜର ପକାନ୍ତୁ ଏପ୍ରିଲ ମାସର କରୋନା ଗ୍ରାଫ୍ ଉପରେ

- ୧ ଏପ୍ରିଲ ୨୦୨୩ରେ ୨,୯୯୪ ମାମଲା
- ୨ ଏପ୍ରିଲ ୨୦୨୩ରେ ୩,୮୨୪ ମାମଲା
- ୩ ଏପ୍ରିଲ ୨୦୨୩ରେ ୩,୬୪୧ ମାମଲା
- ୪ ଏପ୍ରିଲ ୨୦୨୩ରେ ୩,୩୩୮ ମାମଲା
- ୫ ଏପ୍ରିଲ ୨୦୨୩ରେ ୪, ୪୩୫ ମାମଲା

ଲଗାତାର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସର୍ତକ ରହିବା ସହ ମାସ୍କ ପିନ୍ଧିବା ଓ କଟକଣା ମାନିବାକୁ ପରାମର୍ଶ ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ୬ ରାଜ୍ୟରେ ସଂକ୍ରମଣ ସବୁଠୁ ଅଧିକ ରହିଥିବା ବେଳେ ଏଥିପାଇଁ ବିଭିନ୍ନ ରାଜ୍ୟରେ କରୋନା ସମୀକ୍ଷା ବୈଠକ ବସିବା ସହ କଟକଣା ଲାଗୁ କରାଯାଇଛି । ତାମିଲନାଡୁ, ହରିଆଣା ପରେ ଏବେ ଉତରାଖଣ୍ଡ ସରକାର ମଧ୍ୟ କଟକଣା ଲଗାଇଛନ୍ତି । ପୂର୍ବରୁ ମହାରାଷ୍ଟ ସରକାର ସମସ୍ତ ସରକାରୀ ସ୍କୁଲ,କଲେଜ, ବ୍ୟାଙ୍କ ଗୁଡିକରେ ମାସ୍କ ପରିଧାନ ବାଧ୍ୟତାମୂଳକ କରିଛନ୍ତିି । ତାମିଲନାଡୁ ସରକାର ମଧ୍ୟ ସରକାରୀ ହସପିଟାଲର କର୍ମଚାରୀଙ୍କ ପାଇଁ ମାସ୍କ ପରିଧାନ ବାଧ୍ୟତାମୂଳକ ବୋଲି ଘୋଷଣା କରିସାରିଛନ୍ତି । ସେପଟେ ଦିଲ୍ଲୀରେ ସଂକ୍ରମଣ ବଢୁଛି ଓ ଦିଲ୍ଲୀ ସରକାର କୌଣସି କଟକଣା ଲାଗୁ କରିବା ସମ୍ଭାବନା ମଧ୍ୟ ବଢୁଛି । ଉତରାଖଣ୍ଡ ସରକାର ମଧ୍ୟ ଚାରିଧାମ ଯାତ୍ରା ପାଇଁ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରିଛନ୍ତି ।

ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ ଆଇନଜୀବୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ଯଦି ଆବଶ୍ୟକ ପଡେ ତେବେ ଆଇନଜୀବୀ ଭର୍ଚୁଆଲ ମୋଡରେ ଶୁଣାଣୀ କରିପାରିବେ ବୋଲି କହିଛନ୍ତି ମୁଖ୍ୟ ବିଚାରପତି ।