ସ୍ୱର୍ଗରେ ଥାଇ ବି ମିଳୁଛି ସରକାରୀ ଟଙ୍କା ! ସମାଜବାଦୀ ପେନସନ ଘୋଟାଲା

57

ଉତ୍ତରପ୍ରଦେଶରେ ପେନସନ ଘୋଟାଲା ନେଇ ବଡ଼ ଖୁଲାସା ହୋଇଛି । ସୁଚନା ମୁତାବକ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି କ୍ଷମତାରେ ଥିବା ବେଳେ ଏହି ଘୋଟାଲା ହୋଇଛି ବୋଲି ଅଭିଯୋଗ ହୋଇଛି । ଯେତେବେଳେକି ମୁଲାୟମ ସିଂ ଯାଦବ ଓ ଅଖିଳେଶ ଯାଦବଙ୍କ ପରିଚାଳିତ ସମାଜବାଦୀ ପାର୍ଟି ସବୁବେଳେ ସାମାଜିକ ନ୍ୟାୟ ପାଇଁ ଲଢିଆସୁଥିବା କହିଆସୁଛି । ହେଲେ ଉତ୍ତରପ୍ରଦେଶରେ କ୍ଷମତାରେ ଥିବାବେଳେ ଏକ ସମାଜବାଦୀ ପେନସନ ସ୍କିମ ଆରମ୍ଭ କରିଥିଲା ଯେଉଁଥିରେ ଆଜିବି ୪୩ ହଜାର ମୃତ ବ୍ୟକ୍ତି ପେନସନ ଟଙ୍କା ପାଉଥିବା ଘୋଟାଲାର ପର୍ଦ୍ଦାଫାଶ ହୋଇଛି ।

Akhilesh-Yogiଏହି ସ୍କିମ ଅନୁସାରେ ଗରିବ ଲୋକମାନଙ୍କୁ ମାସକୁ ୫୦୦ ଟଙ୍କା ଲେଖାଏଁ ପେନସନ ପ୍ରଦାନ କରାଯାଉଥିଲା । ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହାକୁ ବନ୍ଦ କରିଦେବାକୁ ଉଦ୍ୟମ କରୁଛନ୍ତି ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରୁଛି । କିନ୍ତୁ ସରକାରଙ୍କ ଦ୍ୱାରା କରାଯାଇଥିବା ତଦନ୍ତରୁ ଏକ ବଡ଼ ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି । ତାହା ହେଉଛି ପ୍ରାୟ ୪୩ ହଜାର ମୃତ ବ୍ୟକ୍ତିଙ୍କ ବ୍ୟାଙ୍କ ଖାତାକୁ ଏହି ପେନସନ ମାସକୁ ମାସ ଜମା ହୋଇଚାଲିଛି ।

ରାଜ୍ୟ ସମାଜ ମଙ୍ଗଳ ବିଭାଗ ମନ୍ତ୍ରୀ ରାମପତି ଶାସ୍ତ୍ରୀ କହିଛନ୍ତି ଯେ ପ୍ରାୟ ୫୦ ଲକ୍ଷ ହିତାଧିକାରୀ ଏହି ପେନସନ ପାଉଛନ୍ତି । କିନ୍ତୁ ଯାଞ୍ଚରୁ ଜଣାପଡିଛି ଯେ ପ୍ରାୟ ୪ ଲକ୍ଷ ଲୋକ ସ୍ୱଚ୍ଛଳ ବର୍ଗର ଓ ସେମାନେ ଏହି ପେନସନ ପାଇବାକୁ ଆଦୌ ଯୋଗ୍ୟ ନୁହଁନ୍ତି । ଏପରିକି ଏମାନଙ୍କ ମଧ୍ୟରୁ ପ୍ରାୟ ୪୩ ହଜାର ଏପରି ହିତାଧିକାରୀ ରହିଛନ୍ତି ଯେଉଁମାନେ ଏ ଦୁନିଆରେ ହିଁ ନାହାଁନ୍ତି । ପାଖାପାଖି ୬୨ଟି ଜିଲ୍ଲା ରେ ଏହି ୪୩ ହଜାର ମୃତ ବ୍ୟକ୍ତିମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଜମାହେଉଥିବା ସରକାରଙ୍କ ହସ୍ତଗତ ହୋଇଛି । ତେବେ ଏହି ଦୁର୍ନୀତିର ପର୍ଦ୍ଦାଫାଶ ହେବା ପରେ ଉତ୍ତରପ୍ରଦେଶ ରାଜନୀତିରେ ଚହଳ ସୃଷ୍ଟି ହୋଇଛି ।