ତେଲଙ୍ଗାନାର ଏକ କଲେଜରେ ବାର୍ଷିକ ସମାରୋହ ପରେ କରୋନା ବିସ୍ଫୋଟ, ୪୩ ମେଡିକାଲ ଛାତ୍ର ପଜିଟିଭ ଚିହ୍ନଟ

165

କନକ ବ୍ୟୁରୋ : କରୋନାର ଓମିକ୍ରନ ଭାରିଆଣ୍ଟକୁ ନେଇ ସାରା ଦେଶ ଚିନ୍ତାରେ ଥିବା ବେଳେ ତେଲଙ୍ଗାନାର ଏକ ମେଡିକାଲ କଲେଜରୁ ୪୩ ଜଣ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହେବା ପୁଣି ଚିନ୍ତା ବଢାଇଛି । ତେଲଙ୍ଗାନାର କରିମ ନଗର ଜିଲ୍ଲାରେ ଥିବା ଚଲମେଦା ରାଓ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସ କଲେଜରେ ୪୩ ଜଣ ଛାତ୍ର କରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି ।

ଏହାପରେ କଲେଜ ପରିଚାଳନା ପକ୍ଷରୁ ସମସ୍ତ କ୍ଲାସ ବାତିଲ କରାଯିବା ସହ କ୍ୟାମ୍ପସକୁ ୭ ଦିନ ପାଇଁ ବନ୍ଦ କରିଦିଆଯାଇଛି । ପାଖା ପାଖି ଗୋଟିଏ ସପ୍ତାହ ପୂର୍ବରୁ କଲେଜରେ ବାର୍ଷିକ ଉତ୍ସବ ସମାରୋହ ପାଳିତ ହୋଇଥିଲା । ଏହି ବାର୍ଷିକ ଉତ୍ସବରୁ କରୋନା ସଂକ୍ରମଣ ବଢିଥିବା କଥା ଅନୁମାନ କରାଯାଉଛି । କରିମ ନଗର ଜିଲ୍ଲାର ସ୍ୱାସ୍ଥ୍ୟ ଅଧିକାରୀ ଡ. ଜୁବେରିଆ କହିଛନ୍ତି କି କଲେଜ ପକ୍ଷରୁ ବାର୍ଷିକ ଉତ୍ସବ ପାଳନ ନେଇ ପ୍ରଶାସନକୁ ସୂଚନା ଦିଆଯାଇ ନଥିଲା । ଏହାସହ ସମାରୋହରେ ଯୋଗଦେଇଥିବା ଲୋକମାନେ କୋଭିଡ ନିୟମ ପାଳନ କରିନଥିଲେ ।

ଜିଲ୍ଲା ସ୍ୱାସ୍ଥ୍ର୍ୟ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ୨୦୦ ଲୋକଙ୍କ କୋଭିଡ ଟେଷ୍ଟ କରାଯାଇଛି । ଆଜି କଲେଜ କ୍ୟାମ୍ପସରେ ୧୦୦୦ ଲୋକଙ୍କର କୋଭିଡ ଟେଷ୍ଟ କରାଯିବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ଏହା ସହ କଲେଜ କ୍ୟାମ୍ପସକୁ ସାନିଟାଇଜ କରାଯିବା ସହ ବାର୍ଷିକ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଲୋକଙ୍କ ପରିଚୟ ଯୋଗାଡ କରୁଛି ସ୍ଥାନୀୟ ପ୍ରଶାସନ ।