କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ଗୁଡିକ ପାଇଁ ୩୯ କୋଟି ୨୫ ଲକ୍ଷ ଟଙ୍କାର ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଗତ ଅଗଷ୍ଟ ମାସ ୨୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଫାଇଭଟି ସଚିବ  ଭି.କେ. ପାଣ୍ଡିଆନଙ୍କ ଖୋର୍ଦ୍ଧା ଜିଲ୍ଲା ଗସ୍ତ ସମୟରେ ସମ୍ପୃକ୍ତ ଅଞ୍ଚଳବାସୀ ତାଙ୍କୁ ଭେଟି ଆବାସିକ କଲୋନୀଗୁଡିକର ରାସ୍ତା ଓ ବିଦ୍ୟୁତ ବ୍ୟବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିବା ସହିତ ଏସବୁ ସମସ୍ୟାର ସମାଧାନ ପାଇଁ ସେମାନଙ୍କର ଅଭିଯୋଗ ପତ୍ର ପ୍ରଦାନ କରିଥିଲେ ।

Advertisment

ଏ ସମ୍ପର୍କରେ ଫାଇଭଟି ସଚିବ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏକ ବୈଷୟିକ ଟିମ୍ ଗଠନ କରାଯାଇ ସେ ସବୁ ଅଞ୍ଚଳକୁ ଅନୁଧ୍ୟାନ ପାଇଁ ପଠାଯାଇଥିଲା। ବୈଷୟିକ ଟିମ୍ ସେସବୁ ଅଞ୍ଚଳରେ ୪୨୯ଟି ରାସ୍ତା ଯାହା ୮୨ କି.ମି.ରୁ ଉର୍ଦ୍ଧ୍ୱ ଅଞ୍ଚଳ ପରିମିତ ତାକୁ ଚିହ୍ନଟ କରି ଉନ୍ନତିକରଣ ଓ ବିଦ୍ୟୁତୀକରଣ ପାଇଁ ରିପୋର୍ଟ ପ୍ରଦାନ କରିଥିଲେ । ରିପୋର୍ଟ ପାଇବାପରେ ଫାଇଭଟି ସଚିବ ସମ୍ପୃକ୍ତ ଆବାସିକ କଲୋନୀଗୁଡିକର ବାସିନ୍ଦାଙ୍କ ସହ ଗତ ସେପ୍ଟମ୍ବର ୨୭ ତାରିଖରେ ସେସବୁ ଅଞ୍ଚଳର ଉନ୍ନତିକରଣ ପାଇଁ ଆଲୋଚନା କରିଥିଲେ । ତଦନୁଯାୟୀ ମୁଖ୍ୟମନ୍ତ୍ରୀ ଏହି ୪୨୯ଟି ରାସ୍ତା ପ୍ରକଳ୍ପ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଛନ୍ତି ।

ସ୍ମାର୍ଟ ସିଟି ଭୁବନେଶ୍ୱର ନିକଟ ଅତୀତରେ ଦ୍ରୁତ ପରିବର୍ଦ୍ଧିତ ହୋଇ ଜଟଣୀ ଓ ବାଲିଅନ୍ତା ଅଞ୍ଚଳକୁ ପରିବ୍ୟାପ୍ତ ହୋଇଛି। ସେସବୁ ଅଞ୍ଚଳରେ ବହୁ ଆବାସିକ କଲୋନୀ ଗଢି ଉଠିଛି । ଆବାସିକ କଲୋନୀଗୁଡିକରେ ଆଭ୍ୟନ୍ତରୀଣ ରାସ୍ତା ଓ ବିଦ୍ୟୁତୀକରଣ ସମସ୍ୟା ଦୀର୍ଘ ଦିନର ଦାବୀ ଥିଲା । ସୂଚନାଯୋଗ୍ୟ ଯେ, ୪୨୯ଟି ରାସ୍ତା ପ୍ରକଳ୍ପ ମଧ୍ୟରେ ଭୁବନେଶ୍ୱର ବ୍ଲକରେ ୧୪୦ଟି, ଜଟଣୀ ବ୍ଲକରେ ୨୪୬ଟି ଓ ବାଲିଅନ୍ତା ବ୍ଲକର ୪୩ଟି ପ୍ରକଳ୍ପ ରହିଛି। ଏସବୁ ଅଞ୍ଚଳରେ ରାସ୍ତା ନିର୍ମାଣ, ଉନ୍ନତିକରଣ ଓ ବିଦ୍ୟୁତୀକରଣ କାର୍ଯ୍ୟ କରାଯିବ । ଏହି ସବୁ ପ୍ରକଳ୍ପ ମାଧ୍ୟମରେ ୩ ଲକ୍ଷରୁ ଅଧିକ ଜନସାଧାରଣ ଉପକୃତ ହେବେ। ପ୍ରକଳ୍ପ କାର୍ଯ୍ୟ ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।