ବିଜୁ ସ୍ମାର୍ଟ ହେଲଥ କାର୍ଡରେ ମାଗଣା ଚିକିତ୍ସା ନ ମିଳିଲେ କେଉଁଠି କରିବେ ଅଭିଯୋଗ? ଏବେ ଯାଏଁ କେତେ ଜଣଙ୍କୁ ମିଳିଲାଣି ମାଗଣା ଚିକିତ୍ସା ସୁବିଧା? ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।

363

କନକ ବ୍ୟୁରୋ :  ଏବେ ଜିଲ୍ଲାକୁ ଜିଲ୍ଲା ବୁଲି ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକ୍ଷ୍ୟ କେବଳ ଗୋଟିଏ ଅର୍ଥ ଅଭାବରୁ କେହି ଚିକିତ୍ସାରୁ ବଞ୍ଚିତ ହେବେନି । ସେଥିପାଇଁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡ ପ୍ରାୟ ୯୬ ଲକ୍ଷ ପରିବାରକୁ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ଏହି ସ୍ମାର୍ଟ ହେଲଥ କାର୍ଡରେ ଘରୋଇ ଚିକିତ୍ସା ମିଳୁନଥିବା ନେଇ ଅନେକ ଲୋକ ଅଭିଯୋଗ ଆଣୁଥିବା ବେଳେ ବିଧାନସଭାରେ ଏହାର ଲିଖିତ ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

ଏବେ ସୁଦ୍ଧା ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡରେ କେତେ ଜଣ ରୋଗୀ ସୁବିଧା ପାଇଲେଣି । ଏପରିକି କାର୍ଡରେ ଚିକିତ୍ସା ସୁବିଧା ନ ମିଳିଲେ କାହାକୁ ଅଭିଯୋଗ କରିବେ ରୋଗୀ । ବିଧାୟକ ଭବାନୀ ଶଙ୍କର ଭୋଙ୍କ ଏହି ପ୍ରଶ୍ନର ଉତ୍ତର ଲିଖିତ ଆକାରରେ ରଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ନବ ଦାସ ଯେଉଁ ରିପୋର୍ଟ ଦାଖଲ କରିଛନ୍ତି ସେଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ,  ସେପ୍ଟେମ୍ବର ପହିଲାରୁ ଏବେ ଯାଏଁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡରେ ସାରା ରାଜ୍ୟରେ ମୋଟ ୪୨୭୮୮ ଜଣ ରୋଗୀ ମାଗଣା ଚିକିତ୍ସା ପାଇଛନ୍ତି । ଆଉ ଏହି ରୋଗୀଙ୍କ ଚିକିତ୍ସା ପାଇଁ ହୋଇଥିବା ଖର୍ଚ୍ଚ ୭୩ କୋଟି ୪୧ ଲକ୍ଷ ୩୨ ହଜାର ୩୧୩ ଟଙ୍କା ସରକାର ବହନ କରିବେ ।

୩୦ଟି ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ ହେଲଥ କାର୍ଡ ଯୋଗେ ରୋଗୀ ମାଗଣା ଚିକିତ୍ସା ସୁବିଧା ପାଇଛନ୍ତି । କଟକରେ ସର୍ବାଧିକ ୪୨୨୪ ଜଣଙ୍କୁ ସରକାରଙ୍କ ପକ୍ଷରୁ ସ୍ମାର୍ଟ ହେଲଥ କାର୍ଡରେ ମାଗଣା ଚିକିତ୍ସା ଯୋଗାଇ ଦିଆଯାଇଛି । ଏହାସହ ନବ ଦାସ କହିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସର୍ମ୍ପକିତ କୌଣସି ଅଭିଯୋଗର ଶୁଣାଣି ପାଇଁ ୨୪ ଘଣ୍ଟିଆ ଟୋଲ ଫ୍ରି ନମ୍ବର ୧୦୪ ରହିଛି । ସେହିଭଳି ସ୍ମାର୍ଟ କାର୍ଡ ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି ନିମନ୍ତେ ଟୋଲ ଫ୍ରି ନମ୍ବର ୧୫୫୩୬୯ ରହିଛି ବୋଲି ମନ୍ତ୍ରୀ କହିଛନ୍ତି ।