ନିର୍ମୁଳି ଲତା ଭଳି ରାଜ୍ୟରେ ବଢି ଚାଲିଛି ଗଞ୍ଜେଇ କାରବାର । ବିଗତ ୫ ବର୍ଷ ମଧ୍ୟରେ ଗଞ୍ଜେଇ କାରବାରର ପୂରା ତଥ୍ୟ ବିଧାନସଭାରେ ରଖିଲେ ଅବକାରୀ ମନ୍ତ୍ରୀ ।

338

କନକ ବ୍ୟୁରୋ : ରାଜ୍ୟରେ ଏବେ ଗଞ୍ଜେଇ କାରବାର ନିର୍ମୁଳି ଲତା ଭଳି ବଢି ଚାଲିଛି । ଅଧିକାଂଶ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଜବତ ହେଉଥିବାର ଖବର ସାମ୍ନାକୁ ଆସୁଛି । ଆଉ ଏସବୁ ବିଗତ ୫ ବର୍ଷ ମଧ୍ୟରେ ରାଜ୍ୟରେ କେତେ ପରିମାଣର ଗଞ୍ଜେଇ ଜବତ କରାଯାଇଛି ଓ କେତେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ତାହାର ଉତ୍ତର ବିଧାନସଭାରେ ରଖିଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ।

ବିଧାନସଭାରେ ବିଜେଡି ବିଧାୟକ ବ୍ୟୋମକେଶ ରାୟଙ୍କ ଅଣତାରକା ପ୍ରଶ୍ନର ଉତ୍ତର ଦେଇ ଗତ ୫ ବର୍ଷ ମଧ୍ୟରେ ହୋଇଥିବା ଗଞ୍ଜେଇ କାରବାରର ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି ମନ୍ତ୍ରୀ । ୨୦୧୪ରୁ ୨୦୧୯ ରାଜ୍ୟର ବିଭିନ୍ନ ଜିଲ୍ଲାରେ କେତେ ପରିମାଣର ଗଞ୍ଜେଇ ଜବତ ହୋଇଛି ଓ କେତେ ମାମଲା ରୁଜୁ ହେବା ସହ କେତେ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ତାହାର ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।

ବିଗତ ୫ ବର୍ଷ ମଧ୍ୟରେ ପାଖାପାଖି ୪୨ ହଜାର ୫୦୦ କିଲୋଗ୍ରାମର ଗଞ୍ଜେଇ ଜବତ କରାଯାଇଥିବା ବେଳେ ଏହି କାରବାରରେ ଲିପ୍ତ ଥିବା ୧୮୨୨ ଜଣଙ୍କୁ  ଗିରଫ କରିଛି । ସେହିଭଳି ଗଞ୍ଜେଇ କାରବାରକୁ ନେଇ ୧୭୨୬ ମାମଲା ରୁଜୁ ହୋଇଛି ।

ଏହାଛଡା ଗଞ୍ଜେଇ ଚାଷକୁ ସମୂଳେ ଧଂସ୍ୱ କରିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ମଧ୍ୟ ହାତକୁ ନେଇଛନ୍ତି ।
– ସଦିଗ୍ଧ ସ୍ଥାନମାନଙ୍କରେ ଚଢାଉ କରାଯାଇ ଏନ.ଡି.ପ.ଏସ୍ ଆଇନ ଖିଲାପ କରୁଥିବା ବ୍ୟକ୍ତିମାନଙ୍କୁ ଗିରଫ କରାଯାଇ ମୋକଦ୍ଦମା ରୁଜୁ କରାଯାଇଛି ।
– ଗଞ୍ଜେଇ ଚାଷ ଓ ବ୍ୟବହାର ବିରୁଦ୍ଧରେ ଆଇନରେ ଥିବା କଠୋର ବ୍ୟବସ୍ଥା ସମ୍ପର୍କରେ ଜନ ସାଧାରଣଙ୍କୁ ଅବଗତ କରାଯାଉଛି ।
– ପ୍ରତି ଜିଲ୍ଲାରେ ଏମଡିଏସ ଜରିଆରେ ଗଞ୍ଜେଇ ଚାଷ ପ୍ରବଣ ଜିଲ୍ଲାମାନଙ୍କରେ ଗୁଇନ୍ଦା ତଥ୍ୟ ଆଧାରରେ ବ୍ୟାପକ ଚଢାଉ କରାଯାଇ ଗଞ୍ଜେଇ ଚାଷ ନଷ୍ଟ କରାଯାଉଛି । ଏହାବାଦ୍ ଗଞ୍ଜେଇ ଚାଷକୁ ନଷ୍ଟ କରିବା ନିମନ୍ତେ ସ୍ୱତନ୍ତ୍ର ଭାବେ ରାଜ୍ୟ ପୋଲିସ ଓ ଅବକାରୀ ବିଭାଗକୁ ଆର୍ଥିକ ସହାୟତା ମଧ୍ୟ ଦିଆଯାଉଛି ।