କନକ ବ୍ୟୁରୋ :  ଦେଶରେ ଇଥାନଲ୍ ଉତ୍ପାଦନ କ୍ଷମତା ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଦେଶର ବିଭିନ୍ନ ରାଜ୍ୟରେ ୪୨୨ ଟି ଇଥାନଲ୍ ପ୍ରକଳ୍ପ ସ୍ଥାପନ ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଛନ୍ତି । ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ ବେଳେ ବିଭାଗୀୟ ଅଧିକାରୀ କହିଛନ୍ତି କି ଏହି ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେଲେ ଦେଶରେ ବାର୍ଷିକ ଅଧିକ ୧୬୭୫ କୋଟି ଲିଟର ଇଥାନଲ୍ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ । ଏହା ସହ ୪୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ସମ୍ଭାବନା କଥା ବି କୁହାଯାଇଛି । ଏହି ପ୍ରକଳ୍ପରେ ପୁଞ୍ଜିନିବେଶ କରିବାକୁ ଚାହୁଁଥିବା କମ୍ପାନୀ ଗୁଡିକୁ ବ୍ୟାଙ୍କଗୁଡିକ କୋହଳ ସର୍ତ୍ତରେ ଋଣ ଯୋଗାଇ ଦେବେ ବୋଲି ମଧ୍ୟ ସୂଚନା ମିଳିଛି ।

Advertisment

ଏହି ପ୍ରକଳ୍ପଗୁଡିକ ସ୍ଥାପିତ ହେଲେ ତାହା କୃଷକଙ୍କ ପାଇଁ ସହାୟକ ହେବ । ବିଦେଶରୁ ପେଟ୍ରୋଲ ସହିତ ଇଥାନଲ ମିଶ୍ରଣ କରିବା ଓ ତୈଳ ଆମଦାନୀ ଉପରୁ ନିର୍ଭରଶୀଳତା ହ୍ରାସ ପାଇଁ ସରକାର କରୁଥିବା ଯୋଜନା ବି ତ୍ୱରାନ୍ୱିତ ହୋଇପାରିବ ।

କହିରଖୁ କି କେନ୍ଦ୍ର ସରକାର ଚଳିତବର୍ଷ ପେଟ୍ରୋଲରେ ୮.୫ ପ୍ରତିଶତ ଇଥାନଲ ମିଶ୍ରଣ ରଖିଥିବା ବେଳେ ତାହାକୁ ୨୦୨୨ ରେ ୧୦ ପ୍ରତିଶତ ଓ ୨୦୨୫ ସୁଦ୍ଧା ୨୦ ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏବେ ଦେଶରେ ବାର୍ଷିକ ୬୮୪ କୋଟି ଲିଟର ଇଥାନଲ ଉତ୍ପାଦନ ହେଉଛି । ଏହି ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ହେବା ପରେ ଉତ୍ପାଦନ କ୍ଷମତା  ଦୁଇଗୁଣ ହେବ ବୋଲି ଜଣେ ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି ।