ଉଦଳାର ୪୨୦ ପୋଷ୍ଟ ମାଷ୍ଟର। ଜମାକାରୀଙ୍କ ଟଙ୍କା ନେଇ ଫେରାର କଡିମଗଡିଆ ପୋଷ୍ଟ ମାଷ୍ଟର

260

କନକ ବ୍ୟୁରୋ: ଟଙ୍କା ନେଇ ଫେରାର ୪୨୦ ପୋଷ୍ଟମାଷ୍ଟର, ଜମାକାରୀଙ୍କ ଦ୍ୱାରା ଅଟକ ରହିଲେ ଡାକବିଭାଗ ଅଧିକାରୀ । ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ କଡିମଗଡିଆ ପୋଷ୍ଟ ଅଫିସରେ ଆଜି ଏମିତି ଏକ ଘଟଣା ଘଟିଛି । କଡିମଗଡିଆ ପୋଷ୍ଟମାଷ୍ଟର ଲକ୍ଷ୍ମୀଧର ବିନ୍ଧାଣି ଜମାକାରୀଙ୍କ ଲକ୍ଷଲକ୍ଷ ଟଙ୍କା ନେଇ କୁଆଡେ ଫେରାର ହୋଇଯାଇଛନ୍ତି । ଏନେଇ ଜମାକାରୀମାନେ, ଡାକ ବିଭାଗରେ ଅଭିଯୋଗ କରିବା ପରେ ତଦନ୍ତ ପାଇଁ ଆଜି ଉଚପଦସ୍ତ ଅଧିକାରୀ ଆସିଥିଲେ । ଅଧିକାରୀମାନେ କଡିମଗଡିଆ ପୋଷ୍ଟ ଅଫିସରେ ତଦନ୍ତ କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଅଟକ ରଖିଥିଲେ ।

ଖବର ଅନୁସାରେ, ଲକ୍ଷ୍ମୀଧର ବିନ୍ଧାଣି ଏଠାରେ ପୋଷ୍ଟ ମାଷ୍ଟର ଭାବେ କାର୍ଯ୍ୟ କରୁଥିବା ବେଳେ ପ୍ରାୟ ୩ଶହରୁ ଅଧିକ ହିତାଧିକାରୀ ଆକାଉଂଟ ଖୋଲି ଟଙ୍କା ଜମା ରଖିଥିଲେ । କିଏ ଜମା ଖାତା ଖୋଲି ଟଙ୍କା ରଖିଥିଲେ ତ ଆଉ କିଏ ସୁକନ୍ୟା ସମୃଦ୍ଧି ଯୋଜନାରେ ଝିଅ ନାଁରେ ଟଙ୍କା ରଖୁଥିଲେ । ତେବେ ମାସେ ଧରି ପୋଷ୍ଟ ଅଫିସରେ ତାଲା ପଡିବା ପରେ ଲୋକଙ୍କ ସନ୍ଦେହ ହୋଇଥିଲା । ପୋଷ୍ଟ ମାଷ୍ଟର କାହିଁକି ଆସୁନାହାନ୍ତି, ପୋଷ୍ଟ ଅଫିସ କାହିଁକି ଖୋଲୁନାହିଁ, ତାର ଖୋଳତାଡ କରିବାରୁ ଜଣାପଡିଲା ସମ୍ପୃକ୍ତ ପୋଷ୍ଟମାଷ୍ଟର ଜମାକାରୀଙ୍କ ଟଙ୍କା ନେଇ କୁଆଡେ ଫେରାର ହୋଇଯାଇଛନ୍ତି । ଏହାପରେ ଜମାକାରୀ ଡାକ ବିଭାଗରେ ଅଭିଯୋଗ କରିଛନ୍ତି । ଡାକ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।