ଚାଲିଛି ପାଟକୁରା ପରୀକ୍ଷା! ଦିନ ୧ଟା ସୁଦ୍ଧା ୪୨% ଭୋଟ୍ ଦେଇ ନିଜ ଅଞ୍ଚଳ ପାଇଁ ନେତା ବାଛୁଛନ୍ତି ଜନତା ।

135

କନକ ବ୍ୟୁରୋ: ପାଟକୁରାରେ ଦିନ ୧ଟା ସୁଦ୍ଧା ପଡ଼ିଲା ୪୨ ଭୋଟ୍ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ପାଟକୁରା ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ ଚାଲିଛି । ବର୍ଷା ସତ୍ୱେ ପାଟକୁରା ଉପନିର୍ବାଚନ ପାଇଁ ଭୋଟରଙ୍କ ମଧ୍ୟରେ ମତଦାନ ପାଇଁ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ । ବର୍ଷାରେ ଭିଜି ଭୋଟର ଭୋଟ୍ ଦେବାକୁ ପୁଲିଂ ବୁଥକୁ ଆସୁଥିବା ଦେଖିବାକୁ ମିଳିଛି । ବୁଥ ଗୁଡିକରେ ଭୋଟରଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି ।

ବିଶେଷ କରି, ଖାସ୍ କରି ଯୁବ ଭୋଟରଙ୍କ ସହିତ ବରିଷ୍ଠ ନାଗରିକ ମଧ୍ୟ ମତଦାନ ପାଇଁ ପ୍ରବଳ ଆଗ୍ରହ ଦେଖାଇଛନ୍ତି । କିଛି ପୋଲିଂ ବୁଥରେ ଇଭିଏମରେ ସମସ୍ୟା କାରଣରୁ ମତଦାନ ବିଳମ୍ୱ ହୋଇଥିଲା । ପାଟକୁରାର ୨୮୬ ଓ ୨୯୭ ନଂବର ବୁଥରେ ଇଭିଏମ୍ ତ୍ରୁଟି ସଜାଡିବା ପରେ ମତଦାନ ଆରମ୍ଭ ହୋଇଛି । ଆଜି ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଚାଲିବ ଭୋଟ ଗ୍ରହଣ । ମତଦାନ ପାଇଁ ବୁଥ୍ ଗୁଡିକରେ ଭୋଟରଙ୍କ ଲଂବା ଲାଇନ୍ ଦେଖିବାକୁ ମିଳିଛି ।

ସେପଟେ ମତଦାନ କେନ୍ଦ୍ରକୁ ଆସି ନିଜର ମତସାବ୍ୟସ୍ତ କରିଛନ୍ତି ପାଟକୁରା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ଗରଦପୁର ବ୍ଲକ ତାଳକୁସୁମାର ୨୬୪ ନମ୍ବର ବୁଥରେ ଭୋଟ ଦେଇଛନ୍ତି ବିଜୟ ମହାପାତ୍ର । ଏହାସହିତ ହିଁ କର୍ମୀଙ୍କ ସହ ବିଭିନ୍ନ ବୁଥକୁ ଯାଇ କିଭଳି ଭୋଟ ଗ୍ରହଣ ଚାଲିଛି ସେ ନେଇ ବୁଲି ଦେଖୁଛନ୍ତି । ସେହିପରି ମତଦାନ କରିଛନ୍ତି ବିଜେଡିର ହେଭିୱେଟ୍ ନେତା ଅତନୁ ସବ୍ୟସାଚୀ ନାୟକ । ସାନ ଓଡଙ୍ଗାର ୨୩୦ ନଂବର ପୁଲିଂ ବୁଥରେ ନିଜର ମତଦାନ କରିଥିଲେ ଅତନୁ ।

ପାଟକୁରା ନିର୍ବାଚନମଣ୍ଡଳିର ୩୦୯ ଟି ବୁଥରେ ନେତାଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ୨ ଲକ୍ଷ ୪୪ହଜାର ୭୪୭ ଭୋଟରା । ନିର୍ବାଚନ ପରିଚାଳନା ପାଇଁ ୧୭୦୦ ପୁଲିଂ ଅଧିକାରୀ ନିୟୋଜିତ ହୋଇଛନ୍ତିି । ଏଥର ପାଟକୁରା ମୈଦାନରେ ଅଛନ୍ତି ୧୦ଜଣ ପ୍ରାର୍ଥୀ । ହେଲେ କଡା ଟକ୍କର ଦେଖିବାକୁ ମିଳିବ ବିଜେଡିର ସାବିତ୍ରୀ ଦେବୀ ଓ ବିଜେପିର ବିଜୟ ମହାପାତ୍ରଙ୍କ ମଧ୍ୟରେ । କଂଗ୍ରେସର ଜୟନ୍ତ ମହାନ୍ତି ମଧ୍ୟ ଏଥର ଭାଗ୍ୟ ପରୀକ୍ଷା କରୁଛନ୍ତି ।