ହାତୀଙ୍କ ଉପଦ୍ରବରେ ଗତ ୫ ବର୍ଷରେ ଯାଇଛି ୬୬୯ ଜୀବନ । ବନ୍ୟପ୍ରାଣୀ ଜନିତ କ୍ଷୟକ୍ଷତି ପାଇଁ ମିଳିଛି ୧୦୦ କୋଟିରୁ ଅଧିକ ଟଙ୍କାର ଅନୁକମ୍ପା ରାଶି । ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ।

66

କନକ ବ୍ୟୁରୋ : ରାଜ୍ୟରେ ୫ ବର୍ଷରେ ମୃତ୍ୟୁବରଣ କରିଛନ୍ତି ୨୭୭୬ ଗୋଟି ବନ୍ୟଜନ୍ତୁ । ୨୦୧୭ରୁ ୨୦୨୨ ମଧ୍ୟରେ ୪୧୬ଟି ହାତୀ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ଏନେଇ ଗୃହରେ ଉତ୍ତର ରଖିଛନ୍ତି ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।

ବନ୍ୟଜନ୍ତୁଙ୍କର ସୁରକ୍ଷା ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି ଓ ଗତ ୫ ବର୍ଷରେ କେତୋଟି ବନ୍ୟଜନ୍ତୁଙ୍କର ମୃତ୍ୟୁ ହୋଇଛି ?ଏହି ସମୟରେ କେତୋଟି ହାତୀ ମରିଛନ୍ତି ଓ ହାତୀ ଉପଦ୍ରବରୁ କେତେ ମଣିଷ ମରିଛନ୍ତି ଓ କେତେ ଘର ଭାଙ୍ଗିଛି ସେ ବାବଦରେ ପ୍ରଶ୍ନ ପଚାରିଥିଲେ ବିଧାୟକ ଚକ୍ରମଣି କହଁର । ସେହିଭଳି ରାଜ୍ୟରେ କେତୋଟି ଜାତୀୟ ଓ ଅନ୍ତର୍ଜାତୀୟ ଅଭୟାରଣ୍ୟ ରହିଛି ସେନେଇ ପ୍ରଶ୍ନ କରିଥିଲେ ଚକ୍ରମଣି ।

ଗୃହରେ ଏହାର ଉତ୍ତର ରଖି ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି, ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ୨୭୭୬ଟି ବନ୍ୟଜନ୍ତୁଙ୍କର ମୃତ୍ୟୁ ହୋଇଛି । ଯେଉଁମାନେ ବନ୍ୟଜନ୍ତୁଙ୍କୁ ମାରି ଧରାପଡିଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସେହିଭଳି ଏହି ସମୟରେ ୪୧୬ଟି ହାତୀ ମରିଥିବା ବେଳେ ହାତୀ ଉପଦ୍ରବରୁ ୬୬୯ ମଣିଷ ପ୍ରାଣ ହରାଇଛନ୍ତି । ହାତୀଙ୍କ ଉପଦ୍ରବରୁ ୯୧୫୯ଟି ଘର ଭାଙ୍ଗିଛି । ସେହିଭଳି ଏହି ସମୟ ସୀମା ମଧ୍ୟରେ ବନ୍ୟପ୍ରାଣୀ ଜନିତ କ୍ଷୟକ୍ଷତି ବାବଦକୁ ୧୦୦ କୋଟି ୯୩ ଲକ୍ଷ ୧୧ ହଜାର ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ଏସବୁ ବ୍ୟତୀତ ଏବେ ରାଜ୍ୟରେ ୧୯ଟି ଅଭୟାରଣ୍ୟ ଓ ଗୋଟିଏ ଜାତୀୟ ଉଦ୍ୟାନ ରହିଥିବା କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ।