ହଜିଯାଇଛି ‌ମୌସୁମୀ : ୧୯ ଜିଲ୍ଲାରେ ସ୍ବାଭାବିକଠାରୁ କମ୍‌ ବର୍ଷା; ଭଦ୍ରକ, ଗଜପତି, କେନ୍ଦୁଝରରେ ସ୍ଥିତି ସଙ୍ଗିନ

108

କନକ ବ୍ୟୁରୋ : ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଥିଲେ ମଧ୍ୟ ଓଡ଼ିଶାରେ ବିଶେଷ ବର୍ଷା ହେବନି । ଆସନ୍ତା ୪ ଦିନ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବ । ୧୫ ତାରିଖ ପରେ ବର୍ଷା ପୁଣି ଛାଡ଼ିଯିବ । ବର୍ତମାନ ସମୟରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ପରି ମନେ ହେଉନାହିଁ । ଏଥିପାଇଁ ଆହୁରି ଦୁଇ ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ। ଅର୍ଥାତ୍‌ ଜୁଲାଇ ୨୨ ପରେ ବର୍ଷା ପରିମାଣ ବଢ଼ିବ ବୋଲି ଆକଳନ କରାଯାଇଛି ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବାନୁଯାୟୀ ବିଶାଖାପାଟଣା ନିକଟସ୍ଥ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମହାରାଷ୍ଟ୍ର ଆଡ଼କୁ ଗତି କରିବ । ଫଳରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେବ ଏବଂ ଓଡ଼ିଶାରେ ଏହାର ପ୍ରଭାବ ସୀମିତ ରହିବ । ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ସମେତ ଗଜପତି, ମାଲକାନଗିରି, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ ଦେବଗଡ଼ରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଲାଗି ରହିବ । ୧୯ ତାରିଖ ମଧ୍ୟରେ ଉକ୍ତ ଜିଲ୍ଲାଗୁଡ଼ିକରେ ମାତ୍ର ୬୦ରୁ ୭୦ ମିମି ବର୍ଷା ଏବଂ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ୪୦ ମିମି ବର୍ଷା ହେବ।

ରାଜ୍ୟ ସରକାରଙ୍କ ତଥ୍ୟ ଅନୁଯାୟୀ ଜୁଲାଇ ମାସରେ ଆଜି ସୁଦ୍ଧା ସ୍ବାଭାବିକ ଭାବେ ୧୨୪ ମିମି ବର୍ଷା ହେବା କଥା। ମାତ୍ର ଏବେ ସୁଦ୍ଧା ୭୩ ମିମି ହୋଇଛି, ଯାହାକି ୪୧.୨% ନିଅଣ୍ଟିଆ । ଜୁନ୍‌ ପହିଲାରୁ ଜୁଲାଇ ୧୧ ମଧ୍ୟରେ ୨୫୩ ମିମି ବର୍ଷା ‌ହୋଇଛି, ଯାହାକି ସ୍ବାଭାବିକଠାରୁ ୨୪.୩% କମ୍‌ । ୧୯ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଭଦ୍ରକ ଜିଲ୍ଲାର ସ୍ଥିତି ସବୁଠାରୁ ସଙ୍ଗିନ ରହିଛି। ସେଠାରେ ଜୁଲାଇ ମାସରେ ମାତ୍ର ୧୬ ମିମି ବର୍ଷା ସହ ଜୁନ୍‌ ପହିଲାରୁ ଏପର୍ଯ୍ୟନ୍ତ ସମୁଦାୟ ୧୧୯ ମିମି ବର୍ଷା ହୋଇଛି। ଯାହାକି ୬୨.୧% ନିଅଣ୍ଟିଆ। ଗଜପତି ଓ କେନ୍ଦୁଝରରେ ଯଥାକ୍ରମେ ୪୦.୮% ଓ ୪୧.୮% କମ୍‌ ବର୍ଷା ହୋଇଛି । ଏହାବ୍ୟତୀତ ଅନୁଗୁଳ, ବାଲେଶ୍ବର, କନ୍ଧମାଳ, ମୟୂରଭଞ୍ଜ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୯ରୁ ୩୯% ପର୍ଯ୍ୟନ୍ତ କମ୍‌ ବର୍ଷା ହୋଇଛି ।

ଜୁଲାଇ ୨୦ ବେଳକୁ ପଶ୍ଚିମା ପବନ ପରିବର୍ତେ ରାଜ୍ୟକୁ ପୂର୍ବା ପବନ ସହ ଜୁଲାଇ ତୃତୀୟ ସପ୍ତାହରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ପାଇଁ ପରିସ୍ଥିତି ଅନୁକୂଳ ରହିବ । ଫଳରେ ରାଜ୍ୟରେ ବର୍ଷା ‌ହେବାର ସମ୍ଭାବନା ଅଧିକ ରହିଛି। ବର୍ତମାନ ବୁଣାବୁଣି ସାରି ଧାନର ରୁଆ ବେଉସା ସମୟ। ତେବେ ବର୍ଷା ଅଭାବରୁ ଚାଷ କାର୍ଯ୍ୟ ଧିମେଇ ଯାଇଛି । ତୃତୀୟ ସପ୍ତାହରେ ସମ୍ଭାବ୍ୟ ଲଘୁଚାପ ପାଇଁ ତଳି ବଞ୍ଚାଇ ରଖନ୍ତୁ । ନୂଆ ତଳି ପକାଇବାକୁ ହେଲେ ମଧ୍ୟମ କିସମ ଚୟନ କରିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି ।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ୧୫ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳ ଓ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ଏହାପରେ ପାଗରେ ସାମାନ୍ୟ ପରିବର୍ତନ ହେବ। ଗତ ୨୪ ଘଣ୍ଟା ମଧ୍ୟରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ରେ ୬ ସେମି ବର୍ଷା ହୋଇଥିବା ବେଳେ କୋରାପୁଟର ଜୟପୁର ଓ ରାୟଗଡ଼ା ଜିଲ୍ଲାର ଗୁଡ଼ାରିରେ ୫ ସେମି ଲେଖାଏ, ଗଞ୍ଜାମର ଆସ୍କା, ପୁରୀର କୃଷ୍ଣପ୍ରସାଦ, କେନ୍ଦ୍ରାପଡ଼ାର ମାର୍ଶାଘାଇରେ ୪ ସେମି ଲେଖାଏଁ ବର୍ଷା ହୋଇଛି ।