ମସ୍କୋରେ ଅଭାବନୀୟ ଘଟଣା । ଜଳିଗଲା ଯାତ୍ରୀବାହୀ ବିମାନ, ୨ ଶିଶୁଙ୍କ ସମେତ ଜିଅନ୍ତା ଜଳିଗଲେ ୪୧ ଜଣ ଯାତ୍ରୀ ।

1,828

କନକ ବ୍ୟୁରୋ : ଗୋଟିଏ ପଟେ ବାତ୍ୟା ଫୋନି ଓଡିଶାରେ ତାଣ୍ଡବ ରଚିଥିବା ବେଳେ ଅନ୍ୟପଟେ ଋଷିଆର ରାଜଧାନୀ ମସ୍କୋରେ ଘଟିଛି ଏକ ଅଭାବନୀୟ ଘଟଣା । ଗତ କାଲି ଋଷିଆର ରାଜଧାନୀ ମସ୍କୋରେ ଏକ ଦୁଃଖଦାୟକ ଘଟଣା ଘଟିଛି । ସହର ବ୍ୟସ୍ତବହୁଳ ସେରେମେଟିଭୋ ଏୟାରପୋର୍ଟରେ ଏକ ବିମାନ ଦୁର୍ଘଟଣା ଘଟି ୨ ଶିଶୁଙ୍କ ସମେତ ମୋଟ ୪୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି ।

ଋଷୀୟ ବିମାନସେବା କମ୍ପାନି ଏରୋଫ୍ଲୋଟର ଏକ ସୁଖୋଇ ସୁପରଜେଟ-୧୦୦ ଯାତ୍ରୀବାହୀ ବିମାନ ଇଂଜିନରେ ତ୍ରୁଟି ଯୋଗୁଁ ଜରୁରୀକାଳୀନ ଅବତରଣ କରିବା ବେଳେ ହଠାତ ନିଆ ଲାଗିଯାଇଥିଲା । ଫଳରେ ୪୧ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ତେବେ ୩୭ ଜଣ ଏହି ଦୁର୍ଘଟଣାରୁ ବର୍ତି ଯାଇଥିଲେ, ସେମାନେ ମସ୍କୋର ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏହି ବିମାନରେ ମୋଟ ୭୮ ଜଣ ଯାତ୍ରୀ ଥିଲେ । ବିମାନଟି ଋଷିଆର ମୁରମାନସ୍କ ସହର ଅଭିମୁଖେ ଯାତ୍ରା କରୁଥିଲା । ଏହି ବିମାନଟି ଜଳୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଘଟଣାର ତଦନ୍ତ ଜାରି ରହିଛି ।