କନକ ବ୍ୟୁରୋ : ଭୀଷଣ ତାତି ଯୋଗୁ ରାଉରକେଲାରେ ଅସମ୍ଭାଳ ସ୍ଥିତି । ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୭ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ଷ୍ଟିଲସିଟି ରାଉରକେଲାରେ ୧୨ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି । ଏବେ ବି ୩୩ ଜଣ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ରାଉରକେଲା ହାଇଟେକ୍ ମେଡିକାଲରେ ୧୦ ଜଣ ଓ ଆରଜିଏଚ୍ ୨୩ ଜଣଙ୍କ ଚିକିତ୍ସା ଜାରି ରହିଛି । ଗତକାଲିର ତାତି ଯୋଗୁଁ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ସରକାରୀ ସୂଚନା ଅନୁସାରେ, ଏତିକି ମୃତ୍ୟୁ ଓ ଆହାତଙ୍କ କଥା କୁହାଯାଉଥିବା ବେଳେ ବେସରକାରୀ ଭାବେ ଏ ସଂଖ୍ୟା ଆହୁରି ଅଧିକ ବୋଲି ସ୍ଥାନୀୟ ଲୋକ କହୁଛନ୍ତି । ଖରା ଯୋଗୁଁ ସୁନ୍ଦରଗଡ଼ ଜିଲ୍ଲାରେ ସର୍ବାଧିକ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ରାଉରକେଲା ଆର୍ଜିଏଚ୍ରେ ୧୨ ଜଣ ଏବଂ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ଜଣ ଏବଂ ବନ୍ଧମୁଣ୍ଡା ରେଳବାଇ ହସ୍ପିଟାଲରେ ଜଣଙ୍କର ମୃତ୍ୟୁ ହୋଇଛି ।

ସେହିଭଳି ପଶ୍ଚିମ ଓଡିଶାରେ ଅଂଶୁଘାତରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଚିକିତ୍ସାଧୀନ ଅଛନ୍ତି । ସୁନ୍ଦରଗଡରେ ୧୭, ସମ୍ବଲପୁରରେ ୮, ଝାରସୁଗୁଡାରେ ୭, ବଲାଙ୍ଗୀରରେ ୬ ଜଣ ଏବଂ ଅନ୍ୟ ସ୍ଥାନରେ ୩ ଜଣଙ୍କର ମୃୃତ୍ୟୁ ହୋଇଥିବା ସୂଚନା ମିଳିଛି । ମେଡିକାଲରେ ଦିନକୁ ଦିନ ଅସୁସ୍ଥଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରବଳ ଖରା ଯୋଗୁଁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ସୁନ୍ଦରଗଡ ସମେତ ସାରା ପଶ୍ଚିମ ଓଡିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗି ରହିଛି । ଝାରୁସୁଗୁଡାରେ ତାପମାତ୍ରା ୪୭ ଡିଗ୍ରୀ ରେକର୍ଡ ହୋଇଛି । ଘଟଣା ନେଇ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ଏସଆରସି ସତ୍ୟବ୍ରତ ସାହୁ । ଆରଜିଏଚ ହସ୍ପିଟାଲକୁ ଯାଇଛନ୍ତି ଏଡିଏମ, ପାନପୋଷ ଉପଜିଲ୍ଲାପାଳ । ତରୁନ୍ତ ତଦନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରିପୋର୍ଟ ଆସିବା ପରେ ପରବର୍ତୀ ପଦକ୍ଷେପ ନିଆଯାଇଛନ୍ତି । ସେହିଭଳି ସୁନ୍ଦରଗଡ ହସପିଟାଲରେ ୪ ଜଣଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।