ହ୍ୱାଟ୍ସଆପରେ ହଁ, ହୃଦୟରୁ ହାତଗଣ୍ଠି । ମନ୍ଦିରରେ ମହାମିଳନ, ସାକ୍ଷୀ ରହିଲେ ମହାଦେବ । କେହି କହିପାରନ୍ତିନି କି ଶୁଣିପାରନ୍ତିନି କିନ୍ତୁ ସମାଜ ଦେଲା ସ୍ୱାମୀ-ସ୍ତ୍ରୀର ସ୍ୱୀକୃତି ।

214

କନକ ବ୍ୟୁରୋ: ପ୍ରେମ ପାଇଁ ଶବ୍ଦ ଲୋଡା ନାହିଁ । ପ୍ରେମ ହଉ ହଉ ହେଇଯାଏ । କେବେ ହୃଦୟରୁ ଆରମ୍ଭ ହୋଇ ହାତଗଣ୍ଠିରେ ସରେ ତ କେବେ ସୋସିଆଲ ମିଡିଆରୁ ଆରମ୍ଭ ହୋଇ ଶଙ୍ଖା ସିନ୍ଦୂରରେ ସରେ । ପ୍ରେମ ଇସାରାରୁ ଆରମ୍ଭ ହୁଏ ଆଉ ଇଶ୍ୱରଙ୍କ ଆଶିର୍ବାଦ ଥିଲେ ତାହା ସଫଳ ହୁଏ । ଏଇ ଯେମିତି ସମ୍ବଲପୁରର ଏ ନିଆରା ଯୋଡି । ଦୁହେଁ କହିପାରନ୍ତିନି କି ଶୁଣି ବି ପାରନ୍ତିନି । କିନ୍ତୁ ଭାବ ଏମାନଙ୍କୁ ଭଲପାଇବାର ସୂତାରେ ବାନ୍ଧିଦେଇଛି ।

ଲକ୍ଷ୍ମୀ ସହିତ ମହାବୀର । ଦୁହିଁଙ୍କ ବାହାଘରର ମନ୍ଦିର ମୁକସାକ୍ଷୀ ସାଜିଥିବା ବେଳେ ଏମାନଙ୍କ ପ୍ରେମ କାହାଣୀ କିନ୍ତୁ ଟିକେ ଭିନ୍ନ । ଏମାନେ ଉଭୟ ଉଭୟଙ୍କୁ ପ୍ରପୋଜ କରି ନାହାନ୍ତି । କଥା କହିପାରୁଥିଲେ କି ଶୁଣି ପାରୁଥିଲେ ସିନା ଓଠ ଖୋଲି ପ୍ରେମର ଅଢେଇ ଅକ୍ଷର କହିପାରନ୍ତେ । ହେଲେ ଉଭୟ ଦିବ୍ୟାଙ୍ଗ ଥିବାରୁ କଥା କହିବା ଅସମ୍ଭବ । କିନ୍ତୁ ମନର ପରିଭାଷା ଆଖି କହିଛି । ପିଲାବେଳର ସହପାଠୀଙ୍କ ମାଧ୍ୟମରେ ଫେସବୁକରେ ପ୍ରଥମେ ଦୁହେଁ ଦୁହିଁଙ୍କୁ ଦେଖିଥିଲେ । ପରେ ହ୍ୱାଟ୍ସଆପରେ ଚାଟିଂ କରୁ କରୁ ହୃଦୟର କଥା ହାତଗଣ୍ଠି ଆଡକୁ ଆଗେଇଥିଲା । ଆଉ ଦୁହିଁଙ୍କ ବିବାହ ପାଇଁ ଘରେ ରାଜି ହେବା ପରେ ରୀତିନୀତିରେ ହୋଇଛି ବାହାଘର ।

ସମ୍ବଲପୁର ଚିପିଲିମା ଅଞ୍ଚଳର ଆଦିକନ୍ଦ ତ୍ରିପାଠୀଙ୍କ ଝିଅ ଲକ୍ଷ୍ମୀଙ୍କ ସହ ଝାଡଖଣ୍ଡର ମହାବୀରଙ୍କ ସହ ବିବାହ ହୋଇଛି । ଦୁହିଁଙ୍କ ବିବାହରେ ଉଭୟ ପରିବାର ବେଶ ଖୁସି ଥିବା ବେଳେ ସମ୍ବଲପୁରରେ ଏମିତି ଏକ ବିବାହ ଚର୍ଚ୍ଚା ସୃଷ୍ଟି କରିଛି । ସ୍ୱାର୍ଥବାଦୀ ସମାଜରେ ଭଲପାଇ ବିବାହ କରି ପୁଣି ବିଚ୍ଛେଦର ସାହାନାଇ ବଜାଉଥିବା ଲୋକଙ୍କ ପାଇଁ ଏ ଶବ୍ଦହୀନ ପ୍ରେମ କାହାଣୀ ଏକ ବଳିଷ୍ଠ ପ୍ରତୀକ । ଭଗବାନ ସେମାନଙ୍କ ଯୋଡିକୁ ସାରା ଜୀବନ ଏମିତି ରଖନ୍ତୁ । ସମବେତ ଲୋକେ ଏତିକି ପ୍ରାର୍ଥନା କରିଛନ୍ତି ।