କନକ ବ୍ୟୁରୋ: ବାଂଲାଦେଶ ବିପକ୍ଷ ତୃତୀୟ ଦିନିକିଆରେ ଭାରତ ଠିଆ କଲା ବିଶାଳ ସ୍କୋରବୋର୍ଡ । ୫୦ ଓଭରରେ ଟିମ୍ ଇଣ୍ଡିଆ ମାରିଲା ୪୦୯ ରନ୍ । ତେବେ ଇଶାନଙ୍କ ଦ୍ୱି-ଶତକ ଓ କୋହଲିଙ୍କ ଶତକ ସହ ଦଳ ଏହି ବଡ ସ୍କୋର କରିବାକୁ ସଫଳ ହୋଇଛି । ଆଉ ବାଂଲାଦେଶ ଆଗରେ ୪୧୦ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଭାରତୀୟ ଦଳ ।

Advertisment

ଆଜି ଟସ୍ ଜିତି ବାଂଲାଦେଶ ଅଧିନାୟକ ପ୍ରଥମେ ବ୍ୟାଟିଂ ପାଇଁ ଭାରତକୁ ଆମନ୍ତ୍ରଣ କରିଥିଲେ । ଏହାପରେ ପଡିଆକୁ ଓହ୍ଲାଇଥିଲେ ଶିଖର ଧାୱନ୍ ଓ ଇଶାନ କିଷାନ । ଶିଖର ଧାୱନ ମାତ୍ର ୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ହେଲେ ଏହାପରେ କୋହଲି-ଇଶାନ ଯୋଡି ସବୁ ବୋଲରଙ୍କ ଧୂଲେଇ କରିବା ସହିତ ରନର ଗତିକୁ ଆଗକୁ ବଢାଇଥିଲେ ।

ଇଶାନ କିଷାନ ଚତୁର୍ଥ ଭାରତୀୟ ଭାବେ ଦିନିକିଆରେ ଦ୍ୱିଶତକ ମାରିବା ସହିତ କୋହଲି ମଧ୍ୟ ନିଜର ୭୨ ତମ ଅନ୍ତର୍ଜାତୀୟ ଶତକ ପୂରଣ କରିଥିଲେ । ଇଶାନ ୨୧୦ ରନ୍ କରି ଆଉଟ୍ ହୋଇଥିବାବେଳେ, କୋହଲି ୧୧୩ ରନ୍ କରି ଆଉଟ୍ ହୋଇଥିଲେ । ଏହାପଛକୁ ୱାଂସିଟନ୍ ସୁନ୍ଦର ୩୭ ରନ୍ , ଅକ୍ଷର ପଟେଲ ୨୦ କରିଥିଲେ । ଯାହା ଫଳରେ ୫୦ ଓଭରରେ ଭାରତର ସ୍କୋର ୪୦୯ ରନରେ ପହଞ୍ଚିଥିଲେ ।

ବାଂଲାଦେଶ ପକ୍ଷରୁ ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ହୁସେନ, ସାକିବ, ତାସକିନ୍ ପ୍ରତ୍ୟେକ ୨ଟି ଲେଖାଏଁ ସଫଳତା ପାଇଥିବାବେଳେ, ମୁସ୍ତାଫିଜୁର, ହାସନ୍ ମିରାଜ, ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।