କନକ ବ୍ୟୁରୋ : ତାଲିବାନମାନଙ୍କଦ୍ବାରା ଅଧିକୃତ ହେବା ପରେ କାବୁଲର ପରିସ୍ଥିତିରେ ଅବନତି ଘଟିବାରୁ ରବିବାର ଦିନ ଭାରତ ତିନୋଟି ପୃଥକ୍ ବିମାନରେ ସେଠାରୁ ୩୨୯ଜଣ ଭାରତୀୟ ନାଗରିକ, ଦୁଇଜଣ ଆଫଗାନ ସାଂସଦଙ୍କ ସମେତ ପ୍ରାୟ ୪୦୦ ବ୍ୟକ୍ତିଙ୍କୁ ନେଇ ଆସିଛି ।

Advertisment

୧୦୭ଜଣ ଭାରତୀୟ ଏବଂ ୨୩ଜଣ ଆଫଗାନ ଶିଖ ଏବଂ ହିନ୍ଦୁଙ୍କ ସମେତ ସମୁଦାୟ ୧୬୮ଜଣ ବ୍ୟକ୍ତି ଭାରତୀୟ ବାୟୁସେନାର ‘ସି-୧୭ ହେଭି-ଲିଫ୍‌ଟ୍‌ ମିଲିଟାରି ଟ୍ରାନ୍‌ସ୍ପୋୁର୍ଟ ଏୟାର୍‌କ୍ରାଫ୍ଟ୍‌’ରେ କାବୁଲରୁ ଆସି ଦିଲ୍ଲୀ ନିକଟବର୍ତ୍ତୀ ହିନ୍ଦୋନ ବିମାନଘାଟିରେ ଅବରତଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଆଫଗାନ ସାଂସଦ ଅନାରକଲି ହୋନରିୟାର୍ ଏବଂ ନରେନ୍ଦ୍ର ସିଂହ ଖାଲ୍‌ସା ଏବଂ ସେମାନଙ୍କ ପରିବାରବର୍ଗ ।

ସେହିପରି, ‘ଏୟାର୍‌ ଇଣ୍ଡିଆ’ର ଏକ ସ୍ବତନ୍ତ୍ର ବିମାନରେ ୮୭ଜଣ ଭାରତୀୟ ଏବଂ ଦୁଇଜଣ ନେପାଳୀଙ୍କୁ ଦୁସାମ୍ବେ ସହରରୁ ଭାରତକୁ ଅଣାଯାଇଛି। ଦିନକ ପୂର୍ବରୁ ସେମାନ‌ଙ୍କୁ ତାଜିକିସ୍ତାନର ରାଜଧାନୀରୁ ଭାରତୀୟ ବାୟୁସେନା ବିମାନରେ ସ୍ଥାନାନ୍ତର କରାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି ।

ଗତ ଅଳ୍ପ କିଛି ଦିନ ହେବ ଯୁକ୍ତରାଷ୍ଟ୍ର ଆମେରିକା ଏବଂ ‘ନାଟୋ’ ବିମାନରେ କାବୁଲରୁ ଦୋହାକୁ ସ୍ଥାନାନ୍ତର ହୋଇଥିବା ଅନ୍ୟ ୧୩୫ଜଣ ଭାରତୀୟଙ୍କୁ ଆଉ ଏକ ସ୍ବତନ୍ତ୍ର ବିମାନରେ ପୃଥକ୍‌ଭାବେ ଦୋହାରୁ ଦିଲ୍ଲୀ ଅଣାଯାଇଥିବା କଥା ‌ମଧ୍ୟ ସେମାନେ କହିଛନ୍ତି ।

ଯୁକ୍ତରାଷ୍ଟ୍ର ଆମେରିକା, କତାର, ତାଜିକିସ୍ତାନ ଏବଂ ଅନ୍ୟ କେତେକ ମିତ୍ର ରାଷ୍ଟ୍ରଙ୍କ ସହଯୋଗରେ ଭାରତ ଏହି ସ୍ଥାନାନ୍ତରଣ ଅଭିଯାନ ଚଳାଇଛି। ସୂଚନାଯୋଗ୍ୟ, ଯୁକ୍ତରାଷ୍ଟ୍ର ଆମେରିକା ସେନା ପ୍ରତ୍ୟାହାର କରିନେବା ପରେ କାବୁଲ ସମେତ ପ୍ରାୟ ସମସ୍ତ ଗୁରୁତ୍ବପୂର୍ଣ୍ଣ ନଗର ଏବଂ ସହର ଅକ୍ତିଆର କରିବା ସହ ଏ ମାସରେ ତାଲିବାନମାନେ ସମଗ୍ର ଆଫଗାନିସ୍ତାନକୁ ଦଖଲ କରି ନେଇଛନ୍ତି କହିଲେ ଚଳେ।