କନକ ବ୍ୟୁରୋ : ଓମିକ୍ରନ୍ ଆତଙ୍କ ମଧ୍ୟରେ ସାରା ବିଶ୍ବ ଏବେ କରୋନା ମହାମାରୀର ଚତୁର୍ଥ ଲହର ଦେଖୁଛି। ବିଶ୍ୱରେ ଏବେ ପଜିଟିଭ୍ ହାର ପ୍ରାୟ ୬.୧ ପ୍ରତିଶତ ରହୁଛି। ଆଗକୁ ବର୍ଷ ଶେଷ ଉତ୍ସବ ଆସୁଥିବା ବେଳେ ଆମକୁ ଅଧିକ ସତର୍କ ରହିବାକୁ ପଡ଼ିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛି। ଭାରତରେ କରୋନା ସ୍ଥିତି ସଂକ୍ରାନ୍ତରେ ଏକ ସାପ୍ତାହିକ ବିବୃତି ରଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଲୋକମାନଙ୍କୁ କରୋନା ନିୟମାବଳି ପାଳନ କରିବା ଏବଂ ଟିକାକରଣ ବୃଦ୍ଧି କରିବାପାଇଁ ଅନୁରୋଧ କରିଛନ୍ତି। ଦେଶରେ ୧୭ ରାଜ୍ୟରେ ଏଯାବତ ୪ ଶହରୁ ଅଧିକ ଓମିକ୍ରନ୍ ମାମଲ ଚିହ୍ନଟ ହୋଇଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୧୪ ଜଣ ସୁସ୍ଥ ହୋଇଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଓମିକ୍ରନ୍ ପ୍ରଜାତିରେ ସଂକ୍ରମିତ ହୋଇଥିବା ୧୨୧ ରୋଗୀ ବିଦେଶ ରାଷ୍ଟ୍ରରୁ ଫେରିଛନ୍ତି। ୪୪ ଓମିକ୍ରନ୍ ସଂକ୍ରମିତ ରୋଗୀ କୌଣସି ବିଦେଶ ରାଷ୍ଟ୍ର ଗସ୍ତ କରିନାହାନ୍ତି। ଅନ୍ୟପକ୍ଷେ ଓମିକ୍ରନ୍ ସଂକ୍ରମିତ ହୋଇଥିବା ଅନ୍ୟ ରୋଗୀଙ୍କ ସଂକ୍ରାନ୍ତରେ କୌଣସି ସୂଚନା ମିଳିନାହିଁ। ଓମିକ୍ରନ୍ ସଂକ୍ରମିତ ହୋଇଥିବା ୧୮୩ ରୋଗୀଙ୍କର ତଥ୍ୟ ଆକଳନରୁ ଏହା ଜଣାପଡ଼ିଛି ଯେ, ୭୩ ପ୍ରତିଶତ ରୋଗୀ ବିଦେଶ ଗସ୍ତ କରିଥିଲେ। ୭୦ ପ୍ରତିଶତ ରୋଗୀଙ୍କଠାରେ କରୋନାର କୌଣସି ଲକ୍ଷଣ ନାହିଁ ଏବଂ ୯୧ ପ୍ରତିଶତ ଆକ୍ରାନ୍ତ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି।
କରୋନା ସଂକ୍ରମଣ ବୃଦ୍ଧି ଏବଂ ଓମିକ୍ରନ୍ ପ୍ରଜାତିକୁ ନେଇ ଚିନ୍ତା ବଢ଼ୁଥିବାବେଳେ ରାଜେଶ ଭୂଷଣ ଲୋକମାନଙ୍କୁ କରୋନା ନିୟମାବଳି ପାଳନ କରିବାପାଇଁ ଏବଂ ସତର୍କତା ଅବଲମ୍ବନ କରିବାପାଇଁ ଅନୁରୋଧ କରିଛନ୍ତି। ଡେଲଟା ତୁଳନାରେ ଓମିକ୍ରନ୍ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଏହା ଦେଢ଼ରୁ ୩ ଦିନ ମଧ୍ୟରେ ଦ୍ବିଗୁଣା ହେଉଛି। ଓମିକ୍ରନ୍ ଆତଙ୍କ ମଧ୍ୟରେ ସରକାର ସମସ୍ତ ସରକାରୀ ଓ ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ହେବାପାଇଁ କହିଛନ୍ତି। ମହାମାରୀ ନିୟନ୍ତ୍ରଣ କ୍ଷେତ୍ରରେ ଘରୋଇ ହସ୍ପିଟାଲ୍ଗୁଡ଼ିକୁ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବାକୁ ହେବ ବୋଲି ସରକାର କହିଛନ୍ତି। କୋଭିଡ୍-୧୯ ଏବଂ ଡେଲ୍ଟା ପରି ଓମିକ୍ରନ୍ କ୍ଷେତ୍ରରେ ମଧ୍ୟ ସମାନ ଚିକିତ୍ସା ପଦକ୍ଷେପ ଗ୍ରହଣ ହେବ ବୋଲି ସରକାର କହିଛନ୍ତି।
ଲଣ୍ଡନରେ ପ୍ରତି ୧୦ ଜଣରେ ଜଣେ ସଂକ୍ରମିତ
ଏସବୁ ଭିତରେ ଲଣ୍ଡନରେ ପ୍ରତି ୧୦ ଜଣରେ ଜଣେ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି। ଜାତୀୟ ପରିସଂଖ୍ୟାନ ଅଫିସ୍ ଆକଳନରୁ ଏହା ଜଣାପଡ଼ିଛି। ବ୍ରିଟେନରେ ଲଗାତାର ୨ ଦିନ ଧରି ରେକର୍ଡ ସଂକ୍ରମଣ ଚିହ୍ନଟ ହେଉଛି। ଗତକାଲି ବ୍ରିଟେନରେ ୧୧୯,୭୮୯ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ଏହାର ପୂର୍ବଦିନ ସଂକ୍ରମଣ ମାମଲା ୧୦୬,୧୨୨ ଥିଲା। ଲଣ୍ଡନରେ ଡିସେମ୍ବର ୧୩ରୁ ୧୯ ମଧ୍ୟରେ ସଂକ୍ରମଣ ମାମଲା ପ୍ରତି ୩୫ରେ ୧ ଥିଲା। ଡିସେମ୍ବର ୧୯ରେ ଲଣ୍ଡନରେ ପ୍ରତି ୨୫ ଜଣରେ ଜଣେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।
କିନ୍ତୁ ଓମିକ୍ରନ୍ର ଦ୍ରୁତ ସଂକ୍ରମଣ ଯୋଗୁଁ ଲଣ୍ଡନରେ ଏବେ ପ୍ରତି ୧୦ ଜଣରେ ଜଣେ ସଂକ୍ରମିତ। ଓମିକ୍ରନ ଯୋଗୁଁ ବ୍ରିଟେନରେ ହସ୍ପିଟାଲ୍ରେ ରୋଗୀଙ୍କ ସଂଖ୍ୟା ବଢ଼ୁଛି। ପ୍ରତି ୪ରୁ ୫ ଦିନରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ଦ୍ବିଗୁଣା ହେଉଛି।