Advertisment

କନକ ବ୍ୟୁରୋ: ରାସନ କାର୍ଡ ସ୍କାମ୍ ଓ ଚାଉଳ ବାଟମାରଣାକୁ ନେଇ ମୋହନ ସରକାର କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। ଆଉ ଏତିକି ବେଳେ କେତେ ଚାଉଳ ବାଟରେ ବାଟରେ ଚଳୁ ହେଉଥିଲା, ତାର ହିସାବ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ତେବେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ, ପ୍ରତି ମାସରେ ଓଡ଼ିଶାକୁ ମିଳେ ୧୩,୧୫,୨୧୦ କୁଇଣ୍ଟାଲ ଚାଉଳ ଅର୍ଥାତ୍ ଏଫସିଆଇ ଗୋଦାମରୁ ରାଜ୍ୟ ପଣ୍ୟାଗାରକୁ ଆସେ ୨୬,୩୦,୪୨୦ ବସ୍ତା ଚାଉଳ । ଆଉ ଗରିବ ଲୋକଙ୍କୁ ମାଗଣାରେ ଦିଆଯାଉଥିବା ଚାଉଳକୁ ଚଳୁ କରିବାକୁ ଏହିଠାରୁ ହିଁ ଛକି ବସିଥାନ୍ତି ଅସାଧୁ ମେଣ୍ଟ। କୁହାଯାଏ, ଚାଉଳ ଚୋରି ପାଇଁ ଠିକାଦାର-ଡିଲର-ଅଧିକାରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ରହିଆସିଛି। ଏମାନେ ପ୍ରତି ବସ୍ତାରୁ କିଛି କିଛି ଚାଉଳ ବାହାର କରି କୋଟି କୋଟି ଟଙ୍କା ହଡ଼ପ କରିନିଅନ୍ତି।

ପୂରା ହିସାବ ହେଉଛି ଏହିପରି...

  • ପ୍ରତି ମାସରେ ଆସେ ୨୬,୩୦,୪୨୦ ବସ୍ତା ଚାଉଳ
  • ପ୍ରତି ପ୍ୟାକେଟରୁ ପ୍ରାୟ ୪ କେଜି ଚୋରି
  • ସରକାରୀ ଦାମରେ କେଜି ପିଛା ୩୦ ଟଙ୍କା ହେଲେ ୩୧ କୋଟି ୫୬ ଲକ୍ଷ ଟଙ୍କା ହଡ଼ପ
  • ବର୍ଷକୁ ୩୭୮ କୋଟି ୭୨ ଲକ୍ଷ ଟଙ୍କା ଚଳୁ

ବସ୍ତାରୁ ଚାଉଳ ଚୋରି ହେବା ନେଇ ନିଜେ ସ୍ବୀକାର କରୁଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। କନକ ନ୍ୟୁଜରେ ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଛନ୍ତି। ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଯୋଗାଣ ମନ୍ତ୍ରୀ।

ଚାଉଳ ଚୋରି: ଖୋଳତାଡ଼ ଆରମ୍ଭ

  • ଗୋଦାମରୁ ବ୍ଲକସ୍ତର ପର୍ଯ୍ୟନ୍ତ ଅଚାନକ ହେବ ଚଢ଼ାଉ
  • ଚାଉଳ ବୋଝେଇ ଗାଡ଼ିରେ ଲାଗିବ ଜିପିଏସ୍
  • ସବୁ ଗୋଦାମରେ ଲାଗିବ ସିସିଟିଭି

ମାଗଣା ଚାଉଳ ବଣ୍ଟନ ପ୍ରକ୍ରିୟାରେ ପ୍ରାୟ ୫୦୦ ଠିକାଦାର ଓ ୭୯୬୩ ଡିଲର ରହିଛନ୍ତି । ବିତରଣ ପ୍ରକ୍ରିୟାରେ ୮ ହଜାରରୁ ଅଧିକ ସାମିଲ ଅଛନ୍ତି। ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏମାନଙ୍କ ଉପରକୁ ଆଙ୍ଗୁଠି ଉଠିଛି। ତେଣୁ ଏବେ ଦେଖିବାକୁ ବାକି ରହିଲା, ଚାଉଳ ଚୋରି ରୋକିବା ସହ ଚାଉଳ ଚୋରଙ୍କୁ କେବେ କାଠଗଡ଼ାକୁ ଟାଣୁଛନ୍ତି ମୋହନ ସରକାର।