କନକ ବ୍ୟୁରୋ : ‘କୌନ୍ ବନେଗା କରୋଡ଼ପତି’ର ହଟ୍ ସିଟରେ ଓଡ଼ିଶାର ରେଳ କର୍ମଚାରୀ । ଖୋର୍ଦ୍ଧା ରୋଡ୍ ରେଳ ଡିଭିଜନର ଚିଫ୍ କମର୍ସିଆଲ ମ୍ୟାନେଜର କ୍ରିଷ୍ଣା ଦାସ ‘କୌନ୍ ବନେଗା କରୋଡ଼ପତି’ରେ ଭାଗନେଇଥିଲେ । ଏଥିରେ ସେ ୧୨ ଲକ୍ଷ ୫୦ହଜାର ଟଙ୍କା ଜିତିଛନ୍ତି । ୧୨ ନମ୍ବର ପ୍ରଶ୍ନର ଉତ୍ତର ଦେଇ ସେ ଏହି ଅର୍ଥ ରାଶି ଜିତିଛନ୍ତି । ଗତ ମଙ୍ଗଳବାର ସୋନି ଟିଭିର ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ସାମିଲ ହୋଇ ବିଗ୍ ବି ଅମିତାଭ ବଚ୍ଚନଙ୍କ ଗୋଟି ଗୋଟି ପ୍ରଶ୍ନର ଉତ୍ତର ରଖିଥିଲେ ।

Advertisment

ତେବେ ଅମିତାଭଙ୍କ ସହ ସାକ୍ଷାତ ଆଉ ତାଙ୍କ ସହ ମିଶିବା କ୍ରିଷ୍ଣାଙ୍କ ପାଇଁ ଅତି ଗୌରବର ବିଷୟ । ହଟ୍ ସିଟରେ ବସି ପ୍ରଶ୍ନର ଉତ୍ତର ଦେବା ସହିତ ମହାପ୍ରଭୁ ଜଗନ୍ନାଥଙ୍କୁ ସାଥିରେ ନେଇଥିଲେ । ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ଅମିତାଭଙ୍କୁ ଦେବା ସହିତ ସେଠାରେ ଉପସ୍ଥିତ ସମସ୍ତଙ୍କୁ ପ୍ରଦାନ କରିଥିଲେ । ଏହା ସହ ମହାପ୍ରଭୁଙ୍କ ମହିମା ନେଇ କହିଥିଲେ । ଅମିତାଭଙ୍କ ସହ ତାଙ୍କର ସେହି ମୁହୁର୍ତ୍ତ ଚିର ସ୍ମରଣୀୟ ହୋଇରହିବ । ସେଠାରୁ କାର୍ଯ୍ୟକ୍ରମରୁ ଫେରିବା ପରେ ତାଙ୍କୁ ରେଳ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।