କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସରକାରୀ ଡାକ୍ତରଖାନରେ ୪୦ ପ୍ରତିଶତରୁ ଅଧିକ ଡାକ୍ତର ପଦବି ଖାଲି ପଡିଛି। କେଉଁଠି ମଂଜୁରୀପ୍ରାପ୍ତ ପଦବି ଠାରୁ ଅଧିକ ସ୍ପେଶାଲିଷ୍ଟ କାର୍ଯ୍ୟ କରୁଛନ୍ତି ତ କେଉଁଠି ଅଧା ପଦବି ଖାଲି ପଡିଛି। ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରୁ ଏଭଳି ବିକଳ ସ୍ଥିତି ସାମ୍ନାକୁ ଆସିଛି।
ହାଇକୋର୍ଟଙ୍କ ୨୦୨୧, ନଭେମ୍ବର ୧୭ର ନିର୍ଦ୍ଦେଶ ପାଳନ କରି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସ୍ବତନ୍ତ୍ର ସଚିବ ଡାକ୍ତର ଦୀନବନ୍ଧୁ ପଣ୍ଡା ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରାଯାଇଛି ଯେ ଓଡ଼ିଶା ମେଡିକାଲ ଆଣ୍ଡ ହେଲ୍ଥ ସର୍ଭିସେସ୍ (ଓଏମଏଚଏସ) କ୍ୟାଡରରେ ମଞ୍ଜୁରୀପ୍ରାପ୍ତ ଜେନେରାଲ ଡ୍ୟୁଟି ମେଡିକାଲ ଅଫିସର(ଏମଓ)ଙ୍କ ସଂଖ୍ୟା ୫ ହଜାର ୮୩୮ ହୋଇଥିବା ବେଳେ ୩୩୧୫ ଜଣ ଡାକ୍ତର ଏବେ କାର୍ଯ୍ୟରତ ଅଛନ୍ତି। ଏହି ବର୍ଗରେ ୨ ହଜାର ୫୨୩ ପଦବି ଖାଲି ପଡିଛି। ସେହିଭଳି ଭାବେ ଓଏଚଏମଏସ କ୍ୟାଡରରେ ମଞ୍ଜୁରୀପ୍ରାପ୍ତ ସ୍ପେଶାଲିଷ୍ଟ ମେଡିକାଲ ଅଫିସର ପଦବି ୨୭୦୮ ଥିବାବେଳେ ଏବେ ୧୨୧୧ ପଦବି ଖାଲିପଡ଼ିଛି। ଏହି ପଦବିରେ ୧୪୯୭ ଡାକ୍ତର ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ କାର୍ଯ୍ୟରତ।
ଜେନେରାଲ ଡ୍ୟୁଟି ଏମଓ ପଦବୀ ପ୍ରସଂଗରେ ଜିଲ୍ଲାସ୍ତରର ତଥ୍ୟରେ ଉଲ୍ଲେଖ କରାଯାଇଛି ଯେ ଅନୁଗୁଳରେ ୭୬, ବାଲେଶ୍ବରରେ ୧୨୧, ବରଗଡ଼ରେ ୯୮, ଭଦ୍ରକରେ ୮୧, ବଲାଙ୍ଗୀରରେ ୧୨୫, ବୌଦ୍ଧରେ ୩୦, କଟକରେ ୬୭, ଦେବଗଡ଼ରେ ୪୧, ଢେଙ୍କାନାଳରେ ୮୮, ଗଜପତିରେ ୩୭, ଗଞ୍ଜାମରେ ୨୨୬, ଜଗତସିଂହପୁର ୬୮, ଯାଜପୁରରେ ୬୬, ଝାରସୁଗୁଡ଼ାରେ ୪୭, କଳାହାଣ୍ଡିରେ ୯୫, କନ୍ଧମାଳରେ ୫୨, କେନ୍ଦ୍ରାପଡ଼ାରେ ୬୯, କେନ୍ଦୁଝରରେ ୧୧୭, ଖୋର୍ଦ୍ଧାରେ ୫୭, କୋରାପୁଟରେ ୮୭, ମାଲକାନଗିରିରେ ୬୦, ମୟୂରଭଞ୍ଜରେ ୧୬୫, ନବରଙ୍ଗପୁରରେ ୯୯, ନୟାଗଡ଼ରେ ୮୨, ନୂଆପଡ଼ାରେ ୫୬, ପୁରୀରେ ୮୭, ରାୟଗଡ଼ାରେ ୫୯, ସମ୍ବଲପୁରରେ ୮୮, ସୋନପୁରରେ ୫୦, ସୁନ୍ଦରଗଡ଼ରେ ୧୨୯ଟି ଏପରି ଡାକ୍ତର ପଦବି ଖାଲି ପଡିଛି। ସେହିଭଳି ଅନୁଗୁଳରେ ୩୬, ବାଲେଶ୍ବରରେ ୩୭, ବରଗଡ଼ରେ ୫୧, ଭଦ୍ରକରେ ୧୦, ବଲାଙ୍ଗୀରରେ ୫୨, ବୌଦ୍ଧରେ ୨୦, କଟକରେ ୪୦, ଦେବଗଡ଼ରେ ୨୪, ଢେଙ୍କାନାଳରେ ୩୭, ଗଜପତିରେ ୨୬, ଗଞ୍ଜାମରେ ୬୯, ଜଗତସିଂହପୁର ୧୬, ଯାଜପୁରରେ ୨୦, ଝାରସୁଗୁଡ଼ାରେ ୨, କଳାହାଣ୍ଡିରେ ୬୪, କନ୍ଧମାଳରେ ୬୭, କେନ୍ଦ୍ରାପଡ଼ାରେ ୧୯, କେନ୍ଦୁଝରରେ ୪୪, କୋରାପୁଟରେ ୭୮, ମାଲକାନଗିରିରେ ୨୯, ମୟୂରଭଞ୍ଜରେ ୧୧୭, ନବରଙ୍ଗପୁରରେ ୫୩, ନୟାଗଡ଼ରେ ୪୩, ନୂଆପଡ଼ାରେ ୧୯, ପୁରୀରେ ୪୮, ରାୟଗଡ଼ାରେ ୫୪, ସମ୍ବଲପୁରରେ ୨୯, ସୋନପୁରରେ ୨୨, ସୁନ୍ଦରଗଡ଼ରେ ୯୦ ସ୍ପେଶାଲିଷ୍ଟ ଡାକ୍ତର ପଦବି ଖାଲି ପଡିଛି ବୋଲି ସତ୍ୟପାଠ ସହିତ ଦାଖଲ ତଥ୍ୟରୁ ସ୍ପଷ୍ଟ ହୋଇଛି।
ଖୋର୍ଦ୍ଧା ଜିଲ୍ଲାରେ ମଞ୍ଜୁରୀପ୍ରାପ୍ତ ସ୍ପେଶାଲିଷ୍ଟ ଡାକ୍ତର ପଦବି ୧୭୪ ହୋଇଥିବାବେଳେ ଏହାଠାରୁ ଅଧିକ ୫ଜଣ ଡାକ୍ତର ଏଠାରେ ରହିଛନ୍ତି। ଖୋର୍ଦ୍ଧାରେ ୧୭୯ଜଣ ସ୍ପେଶାଲିଷ୍ଟ ଡାକ୍ତର ରହିଥିବା ବେଳେ ଝାରସୁଗୁଡ଼ାରେ ସବୁ ଠାରୁ କମ୍ ୨ଟି ଏପରି ପଦବୀ ଖାଲି ପଡିଛି ବୋଲି ସତ୍ୟପାଠରୁ ଜଣା ପଡିଛି। ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ବାସ୍ତବ ସ୍ଥିତି ସଂପର୍କିତ ରିପୋର୍ଟ ଓ ଭିଡିଓ କ୍ଲିପ୍ ଦାଖଲ କରାଯାଇଛି।
ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଇନଜୀବୀ ଚିତ୍ତରଂଜନ ମହାନ୍ତିଙ୍କ ଏ ସଂପର୍କିତ ଆବେଦନର ଶୁଣାଣି ସମୟରେ ମୁଦା ଲଫାପାରେ ରହିଥିବା ରିପୋର୍ଟ ସବୁ ଖୋଲା ଯାଇଥିଲା। ରିପୋର୍ଟ ଉପରେ ବିସ୍ତୃତ ଶୁଣାଣି ଆବଶ୍ୟକ ବୋଲି ହାଇକୋର୍ଟ କହିବା ସହିତ ୨୦୨୨, ଜାନୁଆରି ୮କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ୟ୍ୟ କରିଛନ୍ତି। ଏହି ରିପୋର୍ଟର କପି ଆବେଦନକାରୀଙ୍କ ସହିତ ସରକାରଙ୍କୁ ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ରିପୋର୍ଟ ପ୍ରସ୍ତୁତ କରିଥିବା ଟିମ୍ ଗୁଡିକର କାର୍ଯ୍ୟ ପ୍ରଶଂସନୀୟ ବୋଲି ହାଇକୋର୍ଟ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ସ୍ବାସ୍ଥ୍ୟସେବାର ବାସ୍ତବ ଚିତ୍ର ସଂପର୍କରେ ତଥ୍ୟ ରଖିବା ପାଇଁ ନଭେମ୍ବର ୧୭ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।