ଜଣେ ସମର୍ଥକଙ୍କ ସହ ଖାଲି ପାଦ ଓ ସାଇକେଲ ଧରି ଦୈନିକ ୪୦ କି.ମି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ଜିତିଲେ ଶିକ୍ଷାକୁ ପ୍ରାଥମିକତା

194

କନକ ବ୍ୟୁରୋ : ନେତା ହେବି , ନିର୍ବାଚନ ଲଢିବି , ସାଂସଦ କି ବିଧାୟକ ହୋଇ ଲୋକଙ୍କ ସେବା କରିବି । ଏ ନିଶା ଯାହାକୁ ଘାରିଲା ତା ପାଇଁ କିଛି ବି ସମ୍ଭବ । କିଏ ନେତା ହେବାକୁ ବିରୋଧୀଙ୍କୁ ହତ୍ୟା କରୁଛି ତ କିଏ କଳାଧନ ସଂଚୟ କରି ନିର୍ବାଚନ ମୈଦାନକୁ ଓହ୍ଲାଉଛି । ଅନ୍ୟପଟେ ଭୋଟରଙ୍କୁ ଆକର୍ଶିତ କରିବାକୁ କିଏ ଗଧରେ ବସି ପ୍ରଚାର କରୁଛି ତ କିଏ ଶବ ହୋଇ କୋକେଇରେ ବସି ଭୋଟ ମାଗୁଛି । ହେଲେ ଏବେ ଆମେ ଆପଣଙ୍କୁ ଯେଉଁ ପ୍ରାର୍ଥୀ ବାବଦରେ କହିବାକୁ ଯାଉଛୁ, ସେ ଜଣେ ନିଆରା ମଣିଷ । ନା ନିର୍ବାଚନ ପ୍ରଚାର କରିବାକୁ ତାଙ୍କ ପାଖରେ ଅଛି ଗାଡି ନା ବଡ ବଡ ସଭା କରିବାକୁ ତାଙ୍କ ପାଖରେ ଅଛି ଟଙ୍କା । କେବଳ ଗୋଟିଏ ଲକ୍ଷ୍ୟ ନିର୍ବାଚିତ ହୋଇ ଲୋକଙ୍କ ସେବା କରିବି ।

ବିହାର ନିର୍ବାଚନ ବେଳେ ଦେଖିବାକୁ ମିଳୁଛି ଅନେକ ରୋଚକ ଖବର । ତା ମଧ୍ୟରେ ରହିଛନ୍ତି ବିହାର ଦରଭଙ୍ଗା ନିର୍ବାଚନ ମଣ୍ଡଳୀରୁ ଲଢୁଥିବା ଜଣେ ପ୍ରାର୍ଥୀଙ୍କ ନିଆରା ପ୍ରଚାର । ନିର୍ବାଚନ ପ୍ରଚାରରେ ନିଜ ନିଜର ଦଳ ଓ ଆଶାୟୀ ପ୍ରାର୍ଥୀଙ୍କୁ ଜିତାଇବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ନେତା । ଏହା ବି କୌଣସି ଲୁଚା ଛପାରେ ନୁହେଁ । ମାତ୍ର ବିହାର ଦରଭଙ୍ଗାର ଗୋରାବୋରାମ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ବେଳେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ଯେଉଁଠି କି ଏକ ନିର୍ଦ୍ଦଳୀୟ ପ୍ରାର୍ଥୀ ଚନ୍ଦନ କୁମାର ମିଶ୍ରା ତାଙ୍କର ଜଣେ ମାତ୍ର ସହଯୋଗୀକୁ ଧରି ଦୈନିକ ୩୦ ରୁ ୪୦ କିଲୋମିଟର ସାଇକେଲରେ ଯାଇ ପ୍ରଚାର କରୁଛନ୍ତି ।

ଖାଲି ପାଦରେ ଏହି ପ୍ରାର୍ଥୀ ଜଣକ ଖାଲି ସାଇକେଲ ଚଳାଉ ନାହାନ୍ତି । ଏହା ସହ ସେ ହାତରେ ଧରିଛନ୍ତି ନିର୍ବାଚନ ପାଇଁ ପ୍ରସ୍ତୁତ କରିଥିବା ପତାକା । ଅନ୍ୟପଟେ ନିଜେ ନିଜ ନାମରେ ନାରା ବି ଲଗାଉଛନ୍ତି । ନିଜର ବେଷଭୂଷାକୁ ଅତି ସାଧାରଣ ଭାବେ ସଜାଇଛନ୍ତି । ସେ କହିଛନ୍ତି କି ଏମିତି କରି ସେ କୌଣସି ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିବାକୁ ଚାହୁଁନାହାନ୍ତି କିନ୍ତୁ ସେ ଆଜୀବନ ସାଧାରଣ ଶୈଳୀରେ ଜୀବନ ବିତାଇବାକୁ ପସନ୍ଦ କରନ୍ତି । ଏଥିପାଇଁ ବାସ୍ତବ ଜୀବନରେ ସେ ଯେମିତି ଚଳନ୍ତି ସେମିତି ଢଙ୍ଗରେ ସେ ଭୋଟରଙ୍କ ପାଖରେ ପହଂଚୁଛନ୍ତି । ରାସ୍ତାରେ ଖାଲି ପାଦରେ ସାଇକେଲ ଚଳାଇ ପ୍ରଚାର କରିବାକୁ ଗଲା ବେଳେ ଯଦି କୌଣସି ଭୋଟର ତାଙ୍କର ଭେଟ ହୋଇଯାଏ ତାହେଲେ ସେ ତାଙ୍କୁ ଭୋଟ ଦେବାକୁ ଅନୁରୋଧ କରିବା ସହ ନିର୍ବାଚନ ଜିତିଲେ ସେ ଉକ୍ତ ନିର୍ବାଚନ ମଣ୍ଡଳୀ ପାଇଁ କ’ଣ କରିବେ ସେ ନେଇ ପ୍ରସ୍ତୁତ କରିଥିବା ଏକ ପର୍ଚି ବି ଭୋଟରଙ୍କ ହାତକୁ ବଢାଇ ଦିଅନ୍ତି । ଯଦି ଭୋଟର ଜଣକ ତାହା ପଢି ନପାରନ୍ତି ତେବେ ଚନ୍ଦନ ନିଜେ ତହା ପଢି ଭୋଟରଙ୍କୁ ଶୁଣାଇଥା’ନ୍ତି ।
ଚନ୍ଦନ କୁମାର ମିଶ୍ରା କହିଛନ୍ତି କି ସେ ଗୋରାବୋରାମ ବିଧାନସଭା କ୍ଷେତ୍ରରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଓ ତାଙ୍କର ବିଶ୍ୱାସ ଅଛି କି ଲୋକମାନେ ତାଙ୍କୁ ଗ୍ରହଣ କରିବେ ଓ ଭୋଟ ଦେଇ ବିଜୟୀ କରାଇବେ । ଏକଥା ସେ ଦାବି କରିବା ସହ ଜଣାଇଛନ୍ତି କି ସେ ଦୈନିକ ଏଭଳି ଭାବେ ଖାଲି ପାଦରେ ୩୦ ରୁ ୪୦ କିଲୋମିଟର ସାଇକେଲ ଚଳାଇ ନିଜ ପାଇଁ ଭୋଟ ମାଗୁଛନ୍ତି ।

ଏହା ସହ ଚନ୍ଦନ କୁମାର ନିଜ ନିର୍ବାଚନ ମଣ୍ଡଳୀର ବିକାଶକୁ ନେଇ ଅସନ୍ତୁଷ୍ଟ ଥିବା ଦେଖା ଦେଇଛି । ସେ କହିଛନ୍ତି କି ଏହି ନିର୍ବାଚନମଣ୍ଡଳୀରେ ଆଜିଯାଏ କୌଣସି ବିକାଶମୂଳକ କାର୍ଯ୍ୟ ହୋଇନାହିଁ । ଏହି ଅଞ୍ଚଳ ଏକ ବନ୍ୟା ପ୍ରଭାବିତ ଅଞ୍ଚଳ । ହେଲେ ଏଠାରେ ଭଲ ଗମନା ଗମନର ବ୍ୟବସ୍ଥା ନାହିଁ । ଶିକ୍ଷା ପାଇଁ ଭଲ ସ୍କୁଲ କଲେଜର ବ୍ୟବସ୍ଥା ନାହିଁ । ଯଦି ସେ ନିର୍ବାଚନ ଜିତିବେ ତେବେ ସେ ଉକ୍ତ ଅଞ୍ଚଳର ଗମନା ଗମନ ଓ ଶିକ୍ଷାନୁଷ୍ଠାନ ନିର୍ମାଣକୁ ପ୍ରାଥମିକତା ଦେବେ ।