ଦିଲ୍ଲୀ, ଉତର ପ୍ରଦେଶ, ପଶ୍ଚିମବଙ୍ଗ ଓ ଆନ୍ଧ୍ର ସମେତ ୬ଟି ରାଜ୍ୟରେ ପ୍ରବଳ ଝଡ଼ ବାତ୍ୟା । ୪୦ ମୃତ, ୫୦ରୁ ଅଧିକ ଆହତ । ୪୮ ଘଂଟା ମଧ୍ୟରେ ବର୍ଷା ଆଶଙ୍କା

24

କନକ ବ୍ୟୁରୋ: ଦିଲ୍ଲୀରେ ଝଡ଼ତୋଫାନ । କାଳବୈଶାଖୀ ଯୋଗୁ ଅଧାରେ ରହିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସଭା । ପ୍ରବଳ ବେଗରେ ପବନ ବହିବା ଯୋଗୁ କେଜ୍ରିୱାଲଙ୍କ ସଭାସ୍ଥଳରେ ଲଗାଯାଇଥିବା ବ୍ୟାନର ଉଡ଼ିଯାଇଥିବା ଦେଖିବାକୁ ମିଳିଥିଲା । କାଳବୈଶାଖୀ ଯୋଗୁ ଦିଲ୍ଲୀ ବିମାନବନ୍ଦରରେ ୪୦ଟି ଫ୍ଲାଇଟ୍ ପ୍ରଭାବିତ ହୋଇଛି । ସେହିପରି ମେଟ୍ରୋ ସେବା ଓ ବ୍ଲୁ ଲାଇନ୍ ସେବା ମଧ୍ୟ ବାତିଲ୍ ହୋଇଛି ଦିଲ୍ଲୀରେ । ଝଡ଼ ଯୋଗୁ ୧୮ ଜଣ ଲୋକ ଦିଲ୍ଲୀରେ ଆହତ ହୋଇଥିବା ଜଣାପଡ଼ିଛି ।କାଳବୈଶାଖୀ ଯୋଗୁ ୧୦୯ କିଲୋମିଟର୍ ବେଗରେ ପବନ ବହିଥିଲା । ଝଡ଼ପରେ ଦିଲ୍ଲୀ ଓ ଆଖପାଖ ଅଂଚଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।

ୟୁପି ଝଡ଼ତୋଫାନରେ ୧୮ ମୃତ ୨୮ ଆହତ । ୟୁପିର କାସଗଂଜ, ଗାଜିଆବାଦ, ବୁଲନ୍ଦସହର, ଅଲିଗଡ଼, ସମ୍ଭଲ ଅଂଚଳରେ ପ୍ରବଳ ଧୁଳିଝଡ଼ ଦେଖିବାକୁ ମିଳିଛି । ଏହି ଝଡ଼ତୋଫାନରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡ଼ିଛି । କାଳବୈଶାଖୀ ଘଟଣାରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିଲ୍ଲା ମାଜିଷ୍ଟ୍ରେଟ୍ ମାନଙ୍କୁ ତୁରନ୍ତ ଚିକିତ୍ସା ଓ ଅନ୍ୟାନ୍ୟ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଝଡ଼ ଯୋଗୁ ୭୦ କିଲୋମିଟର୍ ବେଗରେ ପବନ ବହିଥିଲା । ୟୁପିର ବଦାଉଁ, ବରେଲି, ପିଲଭିଟ୍, ଲଖିମପୁର, ହାରଦୋଇ, ଲକ୍ଷେ୍ନø, ମିର୍ଜାପୁର, ରାଇବରେଲି, ବାରବାଙ୍କୀ, ଫୈଜାବାଦ, ସୁଲତାନପୁର, ଆଜମଗଡ଼, ସାଝାନପୁର ଅଂଚଳରେ ଝଡ଼ତୋଫାନ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି ।

ହରିଆନାରେରେ ସମାନ ଅବସ୍ଥା । ହରିଆନାର ରୋହତକରେ କାଳବୈଶାଖୀ କାରଣରୁ ପ୍ରଥମେ ଝଡ଼ ପରେ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଝଡ଼ତୋଫାନ ଓ ବର୍ଷା ଯୋଗୁ ହରିଆନାର ବିଭିନ୍ନ ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ତେବେ ପୂର୍ବରୁ ଜାତୀୟ ପାଣିପାଗ ବିଭାଗ ହରିଆନା ସମେତ ୧୩ଟି ରାଜ୍ୟରେ ଝଡ଼ବାତ୍ୟା ପୂର୍ବାନୁମାନ କରିଥିଲା । କାଳବୈଶାଖୀ ବର୍ଷା ପରେ ହରିଆନାରେ ତାପମାତ୍ରା ଖସିଥିବା ବେଳେ ଅନେକ ଅଂଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିଛି ।