ହାଇଭୋଲଟେଜ୍ ଡ୍ରାମା ଭିତରେ ସୁପ୍ରିମକୋର୍ଟରେ ସରିଲା ଅଯୋଧ୍ୟା ମାମଲାର ଶୁଣାଣି । ରାୟ ସଂରକ୍ଷିତ, ନଭେମ୍ବର ୧୭ରେ ଆସିପାରେ ଚୂଡାନ୍ତ ରାୟ ।

791

କନକ ବ୍ୟୁରୋ : ଅଯୋଧ୍ୟାରେ ରାମ ଜନ୍ମଭୂମି ଓ ବାବ୍ରି ମସଜିଦ୍ ଜମି ବିବାଦ ମାମଲାରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଶେଷ ହୋଇଛି । ଦୀର୍ଘ ୪୦ ଦିନ ଧରି ଲଗାତର ଭାବେ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏହି ବିବାଦୀୟ ମାମଲାର ଶୁଣାଣି କରିଛନ୍ତି । ହିନ୍ଦୁ ମହାସଭା ଓ ମୁସଲିମ୍ ପକ୍ଷର ଦଲିଲ ଶୁଣିବା ପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ ବେଞ୍ଚ । ଆସନ୍ତା ନଭେମ୍ବର ୧୭ ତାରିଖରେ ମାମଲାର ଚୂଡାନ୍ତ ରାୟ ଆସିବା ସମ୍ଭାବନା ରହିଛି । ପ୍ରଧାନ ବିଚାରପତି ରଂଜନ ଗୋଗେଇ ନଭେମ୍ବର ୧୮ ତାରିଖରୁ ଅବସର ନେବେ । ତେଣୁ ତାଙ୍କର ଶେଷ କାର୍ଯ୍ୟ ଦିବସରେ ଏହି ଐତିହାସିକ ରାୟ ଆସିବାର ସମ୍ଭାବନା ରହିଛି । ଆଜି ସନ୍ଧ୍ୟା ୫ଟା ସୁଦ୍ଧା ସମସ୍ତ ଦଲିଲ ରଖିବାକୁ ପ୍ରଧାନ ବିଚାରପତି , ଉଭୟ ପକ୍ଷକୁ କହିଥିଲେ । ଏବଂ ସେହି ଅନୁସାରେ ହାଇଡ୍ରାମା ଭିତରେ ଶୁଣାଣି ଶେଷ ହୋଇଛି ।

ସୁପ୍ରିମକୋର୍ଟରେ ରାମ ଜନ୍ମଭୂମି–ବାବ୍ରୀ ମସଜିଦ୍ ଜମି ବିବାଦ ମାମଲାର ଶେଷ ଶୁଣାଣି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ସମେତ ୫ ଜଣିଆ ଖଣ୍ଡପୀଠ ସାମ୍ନାରେ ହିନ୍ଦୁ ଓ ମୁସଲିମ୍ ପକ୍ଷ ସେମାନଙ୍କ ଦଲିଲ ଉପସ୍ଥାପନ କରୁଥିଲେ । ମାମଲାରେ ବିନା ଛୁଟିରେ ଲଗାତର ପ୍ରତିଦିନ ଶୁଣାଣି ଚାଲିଥିବା ବେଳେ ୪୦ ତମ ତଥା ଶେଷ ଦିନରେ ସନ୍ଧ୍ୟା ୫ଟା ଯାଏ ଶୁଣାଣି ହୋଇପାରିବ ବୋଲି ପୂର୍ବରୁ ପ୍ରଧାନ ବିଚାରପତି ସ୍ପଷ୍ଟ କରିଦେଇଥିଲେ । କହିଥିଲେ, ବହୁତ ହୋଇଗଲା, ବର୍ତମାନ ଏହି ମାମଲାରେ ପୂର୍ଣ୍ଣଚ୍ଛେଦ ପଡିବା ଜରୁରୀ ।

ଅଲ ଇଣ୍ଡିଆ ହିନ୍ଦୁ ମହାସଭା ପକ୍ଷରୁ ବରିଷ୍ଠ ଆଇନଜୀବୀ ବିକାଶ ସିଂହ, ବିବାଦୀୟ ସ୍ଥଳରେ ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ ଉଲ୍ଲେଖ ଥିବା ଏକ ଫଟୋ ମାନଚିତ୍ର ମୁସଲିମ ପକ୍ଷ ଓକିଲ ରାଜୀବ ଧୱନଙ୍କୁ ଦେଖାଇଥିଲେ । ଏଥିରେ ଉତକ୍ଷିପ୍ତ ରାଜୀବ ଧୱନ ଏଭଳି କୌଣସି ଦଲିଲ ରେକର୍ଡରେ ନାହିଁ ବୋଲି କହିବା ସହ ଫଟୋ ମାନଚିତ୍ରକୁ ଚିରିଦେଇଥିଲେ । ଶୁଣାଣିକୁ ନେଇ ଉଭୟ ପକ୍ଷ ମଧ୍ୟରେ ଉତେଜନା ଭିତରେ ବିରକ୍ତି ପ୍ରକାଶ କରିଥିଲେ ପ୍ରଧାନ ବିଚାରପତି । କହିଥିଲେ, ଏଭଳି ସ୍ଥିତିରେ ଆଉ ଶୁଣାଣି ହୋଇପାରିବ ନାହିଁ । ଏବଂ ଖଣ୍ଡପୀଠ ଉଠି ଚାଲିଯିବାକୁ ବାଧ୍ୟ ହେବେ ।

ଅଯୋଧ୍ୟାରେ ଥିବା ବିବାଦୀୟ ଜମିକୁ ସମାନ ତିନି ଭାଗରେ ରାମ ଲାଲା, ସୁନ୍ନି ୱାକଫ ବୋର୍ଡ ଏବଂ ନିର୍ମୋହୀ ଆଖଡା ମଧ୍ୟରେ ଭାଗ କରିବାକୁ ୨୦୧୦ରେ ଆଲ୍ଲାହାବାଦ ହାଇକୋର୍ଟ ରାୟ ଶୁଣାଇଥିଲେ । ଏହା ବିରୋଧରେ ସୁପ୍ରିମକୋର୍ଟରେ ଚ୍ୟାଲେଂଜ କରାଯାଇଥିଲା । ଏବେ ଶୁଣାଣି ଶେଷ ହୋଇଛି । ହିନ୍ଦୁ ଓ ମୁସଲିମ୍ ପକ୍ଷ ସେମାନଙ୍କ ମତ ଓ ଦଲିଲ ସୁପ୍ରିମକୋର୍ଟ ଆଗରେ ରଖିସାରିଛନ୍ତି । ଆସନ୍ତା ନଭେମ୍ବର ୧୭ ତାରିଖରେ ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିବା ଏହି ବିବାଦୀୟ ମାମଲାର ରାୟ ପ୍ରକାଶ ପାଇବା ସମ୍ଭାବନା ରହିଛି ।