ଜୁନ ୨୫ ତାରିଖ ପର୍ଯ୍ୟନ୍ତ ଦେଶର ୪୦ କୋଟି ଲୋକଙ୍କର ହୋଇଛି କୋଭିଡ ଟେଷ୍ଟ । ଜୁନ ମାସରେ ଦୈନିକ ୧୮ ଲକ୍ଷ ଲୋକଙ୍କର ନିଆଯାଉଛି ନମୂନା

121

କନକ ବ୍ୟୁରୋ : ଦେଶରେ ଏବେ କରୋନା ସଂକ୍ରମଣର ଦ୍ୱିତୀୟ ଲହର କମିଆସିଥିବା ବେଳେ ବିଶେଷଜ୍ଞମାନେ ତୃତୀୟ ଲହର ନେଇ ସତର୍କ କରାଇଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କରୋନାର ଡେଲଟା ଭାରିଆଣ୍ଟ ତୃତୀୟ ଲହର ଆଣିବ ବୋଲି ଆଶଂକା କରାଯାଉଛି । ତୃତୀୟ ଲହରରୁ ଦେଶବାସୀଙ୍କୁ ରକ୍ଷା କରିବାକୁ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ଆଇସିଏମଆରର ତଥ୍ୟ ମୁତାବକ ଦେଶରେ ଜୁନ ୨୫ ତାରିଖ ପର୍ଯ୍ୟନ୍ତ ୪୦,୧୮,୧୧,୮୯୨ ଜଣଙ୍କର କୋଭିଡ ଟେଷ୍ଟ କରାଯାଇଛି । ଅନ୍ୟପଟେ କେବଳ ଜୁନ ମାସରେ ଦୈନିକ ୧୮ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଉଥିବା ଆଇସିଏମଆର କହିଛି । ଏହାସହ ଜୁନ ୨୫ ତାରିଖ ପର୍ଯ୍ୟନ୍ତ ଦେଶରେ ପାଖା ପାଖି ୪ କୋଟି ଲୋକଙ୍କୁ ଟିକା ଦିଆଯାଇଛି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମୁଖ୍ୟ କହିଛନ୍ତି କି କରୋନାର ଡେଲଟା ଭାରିଆଣ୍ଟ ପ୍ରଥମେ ଭାରତରୁ ଚିହ୍ନଟ ହୋଇଛି । ଏହା କରୋନାର ପୂର୍ବ ଭାରିଆଣ୍ଟ ଠାରୁ ଅଧିକ ସଂକ୍ରାମକ । କରୋନାର ଏହି ଭାରିଆଣ୍ଟ ପ୍ରଥମେ ଭାରତରୁ ଚିହ୍ନଟ ହୋଇଥିଲେ ବି ଏବେ ଏହା ୮୫ ଟି ଦେଶରେ ଦେଖିବାକୁ ମିଳିଛି । ଡେଲଟା ଭାରିଆଣ୍ଟରେ ସବୁଠାରୁ ଅଧିକ ବାଂଲାଦେଶର ଲୋକମାନେ ସଂକ୍ରମିତ ହୋଇଛନ୍ତି । ହେଲେ ଦ୍ରୁତ ଟିକାକରଣ ମାଧ୍ୟମରେ ଏହି ଭୂତାଣୁକୁ ରୋକାଯାଇ ପାରିବ ବୋଲି କୁହାଯାଇଛି ।

ଅନ୍ୟପଟେ ଦେଶରେ ଡେଲଟା ଭାରିଆଣ୍ଟ ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହେବା ପରେ କେନ୍ଦ୍ର ସରକାର ସଜାଗ ହୋଇଛନ୍ତି । ଏହି ଭାରିଆଣ୍ଟ କବଳରୁ ଲୋକମାନଙ୍କୁ ରକ୍ଷା କରିବାକୁ କ୍ୟାମ୍ପେନ ମୋଡରେ ଟିକାକରଣ କରାଯାଉଛି ।