ପାଟନାର ମହାବୀର ମନ୍ଦିରରେ ଆରମ୍ଭ ହେଲା ୪୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ । ସରକାରୀ ଦରରେ ସଂକ୍ରମିତଙ୍କୁ କରାଯିବ ଚିକିତ୍ସା

95

କନକ ବ୍ୟୁରୋ : ବିହାରରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାବୀର ନ୍ୟାସ କମିଟି ପକ୍ଷରୁ ମହାବୀର ମନ୍ଦିର ନିକଟରେ ଏକ ୪୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଆରମ୍ଭ କରାଯାଇଛି । ଏହି ହସ୍ପିଟାଲରେ ସଂକ୍ରମିତ ମାନେ ସରକାରୀ ଦରରେ ଚିକିତ୍ସା ପାଇପାରିବେ ବୋଲି କୁହାଯାଇଛି । ମହାବୀର ମନ୍ଦିର ନ୍ୟାସ କମିଟିର ସଚିବ ଆଚାର୍ଯ୍ୟ କିଶୋର କୃଣାଳଙ୍କ କହିବା ମୁତାବକ ଏହି ହସ୍ପିଟାଲରେ ଡାକ୍ତର ନିଯୁକ୍ତ ହୋଇସାରିଛନ୍ତି । ଏହାସହ ଆମେରିକାରେ କୋଭିଡ ହସ୍ପିଟାଲ ଚଳାଉଥିବା ବିହାର ରାଜ୍ୟର କିଛି ଡାକ୍ତର ବି ଏଠାରେ ସେବା ଦେବେ । ଏହସହ ମେଡିକାଲ ପାଇଁ ମହାବୀର ନ୍ୟାସ କମିଟି ବି ୧୦ ଲକ୍ଷ ଟଙ୍କା ଦାନ କରିଛି ।

ଅନ୍ୟପଟେ ଆଚାର୍ଯ୍ୟ କିଶୋର କୃଣାଳ ମେଡିକାଲ ଚିକିତ୍ସକ ଓ ଅନ୍ୟ କର୍ମଚାରୀଙ୍କୁ ସମର୍ପିତ ଭାବ ରଖି ଚିକିତ୍ସା କରିବାକୁ ଆହ୍ୱାନ ଦେଇଛନ୍ତି । ଏହାସହ ଏଠାରେ କାମ କରୁଥିବା ଡାକ୍ତର ଓ ଅନ୍ୟ କର୍ମଚାରୀଙ୍କୁ ମହାବୀର ସମିତି ପକ୍ଷରୁ ସମ୍ମାନିତ କରାଯିବ ବୋଲି ସେ କହିଛନ୍ତି । ଅନ୍ୟପଟେ ମନ୍ଦିର ପ୍ରାଙ୍ଗରେ କରୋନା ରୋଗୀଙ୍କ ପାଇଁ ଅକ୍ସିଜେନର ବ୍ୟବସ୍ଥା କରାଯାଇଛି । କୁହାଯାଇଛି କି ଅନଲାଇନ ବୁକିଂ କରି ଆବଶ୍ୟକଥିବା ଲୋକମାନେ ଏଠାରୁ ବିନା ପଇସାରେ ଅକ୍ସିଜେନ ନେଇପାରିବେ ।

ମହାବୀରଆରୋଗ୍ୟ ସଂସ୍ଥାନର ନିର୍ଦ୍ଦେଶକ ତଥା ପୂର୍ବ ଆଇଏଏସ୍ ଡଃ. ଏସ.ସି ମିଶ୍ରା କହିଛନ୍ତି କି ଏହି ହସ୍ପିଟାଲରେ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଦାମରେ ଚିକିତ୍ସା କରାଯିବ । ଏହି ହସ୍ପିଟାଲରେ ଆଡମିଶନ କରିବା କି ଅନ୍ୟ କୌଣସି ବାବଦରେ ସୂଚନା ପାଇବାକୁ ସଂସ୍ଥାନ ତରଫରୁ ୦୬୧୨-୨୩୮୪୨୨୧ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି । ସଂସ୍ଥାନର ପ୍ରଶାସନିକ ଅଧିକାରୀ ପବିତ୍ର ଡେକୋଙ୍କୁ ମେଡିକାଲର ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି ।