ବିମୁଦ୍ରାକରଣକୁ ପୂରିଛି ୪ ବର୍ଷ । ଚାରି ବର୍ଷ ତଳେ ଦେଶରେ ୫ଶହ ଓ ୧ ହଜାର ଟଙ୍କିଆ ନୋଟକୁ ଅଚଳ କରିଥିଲେ ମୋଦୀ ସରକାର

201

କନକ ବ୍ୟୁରୋ : ବିମୁଦ୍ରାକରଣ ଅର୍ଥାତ ନୋଟବନ୍ଦୀକୁ ପୂରିଛି ୪ ବର୍ଷ । ଏହି ଦିନ ଦେଶରେ ଏକ ବଡ ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର । ଚାରି ବର୍ଷ ତଳେ ଦେଶରେ ୫ ଶହ ଓ ୧ ହଜାର ଟଙ୍କିଆ ନୋଟକୁ ହଠାତ ଅଚଳ କରିଥିଲେ ମୋଦୀ ସରକାର । ଏହାପରେ ସାରା ଦେଶରେ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । କାରଣ ନୋଟବନ୍ଦୀ ହେବାର କୌଣସି ବି ସୂଚନା ପୂର୍ବରୁ ମିଳି ନଥିଲା ।

ନୋଟବନ୍ଦୀର ସୂଚନା ପାଇବା ପରେ ଲୋକମାନେ ରାତି ଅଧରେ ଏଟିଏମରେ ଲମ୍ବା ଲାଇନ ଲଗାଇଥିଲେ । ଫଳରେ ଭିଡ ଅଣାୟତ ହୋଇଥିଲା । କେବଳ ଏଟିଏମ ନୁହେଁ ବ୍ୟାଙ୍କ ଓ ପେଟ୍ରୋଲ ପମ୍ପରେ ମଧ୍ୟ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । କାରଣ ଲୋକମାନେ ବ୍ୟାଙ୍କ ଓ ପେଟ୍ରୋଲ ପମ୍ପରେ ନୋଟ ପରିବର୍ତ୍ତନ କରିପାରିବେ ବୋଲି ସରକାର କରିଥିଲେ । ଏହି ଯୋଜନରା ଲକ୍ଷ୍ୟ ଥିଲା ଦେଶରେ ଥିବା କଳାଧନକୁ ବାହାର କରିବା । କିଛି ଲୋକ ଏହି ପଦକ୍ଷେପକୁ ସ୍ୱାଗତ କରିଥିବା ବେଳେ ଆଉ କିଛି ବିରୋଧ କରିଥିଲେ ।

ରିଜର୍ଭ ବ୍ୟାଙ୍କ ସୂଚନା ଅନୁସାରେ ଦେଶରେ ୨୦୧୬ ଓ ୧୭ରେ ୧୫.୪୪ ଲକ୍ଷ ଟଙ୍କା ଅବୈଧ ଘୋଷଣା ହୋଇଥିଲା । ଏହା ମଧ୍ୟରୁ ୧୫.୩୧ ଲକ୍ଷ ଟଙ୍କା ଫେରିଆସିଥିବା ସୂଚନା ମିଳିଥିଲା । ଅର୍ଥାତ ୯୯ ପ୍ରତିଶତରୁ ଅଧିକ ଟଙ୍କା ଫେରି ଆସିଛି ବୋଲି କୁହାଯାଉଛି । ମାତ୍ର ବଳକା ଟଙ୍କାର କୌଣସି ସୂଚନା ମିଳିନଥିବା ଜଣା ପଡିଛି ।

ତେବେ ବିମୁଦ୍ରାକରଣ ଯୋଗୁଁ ଅର୍ଥନୀତିକୁ ସଂଗଠିତ କରିବାରେ ସହାୟକ ହୋଇଛି ବୋଲି ସରକାର କହିଥିଲେ । ହେଲେ ଏହାକୁ ସେହି ସମୟରେ ବିରୋଧୀ ଦଳ ଖୁବ ବିରୋଧ କରିଥିଲେ । ମୋଦୀ ସରକାରଙ୍କ ଅଦୂରଦର୍ଶୀ ନିଷ୍ପତ୍ତି ଯୋଗୁଁ ସାଧାରଣ ଲୋକ ହଇରାଣ ହୋଇଥିଲେ ବୋଲି ବିରୋଧୀ ଅଭିଯୋଗ କରିଥିଲେ ।