ଅଜଣା ରୋଗରେ ଆକ୍ରାନ୍ତ ୪ବର୍ଷର ଶିଶୁ ! ଦେହ ସାରା ମାଡି ଯାଇଛି କଳା କଳା ଦାଗ, ଦିନ ମଜୁରିଆ ବାପାଙ୍କ ପାଖରେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।

225

କନକ ବ୍ୟୁରୋ : ଦେହ ସାରା ଚିତା ବାଘ ପରି କଳା କଳା ଦାଗ । ଏକ ଅଜଣା ରୋଗରେ ପୀଡିତ ୪ ବର୍ଷର ଅବୋଧ ଶିଶୁ ଚିନ୍ମୟ । ଖେଳକୁଦ ବୟସରେ ଏଭଳି ଚିହ୍ନ ଯୋଗୁଁ ଚିନ୍ମୟକୁ ଧରି ଏ ଡାକ୍ତରଖାନାରୁ  ସେ ଡାକ୍ତରଖାନା ଦୌଡୁଛନ୍ତି ଦିନ ମଜୁରିଆ ବାପା । ଆସନ୍ତୁ ଜାଣିବା ଢେଙ୍କାନାଳ ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମର ଚିନ୍ମୟ ସାହୁଙ୍କ ଜୀବନ ସଂଘର୍ଷର କାହାଣୀ ।

ଢେଙ୍କାନାଳ ଭୁବନ ବ୍ଲକ ସୁରପ୍ରତାପପୁର ଗାଁର ଚିତ୍ରସେନ ସାହୁଙ୍କ ୪ ବର୍ଷର ପୁଅ  ଚିନ୍ମୟ ସାହୁ । ୨ ଭଉଣୀରେ ଗୋଟିଏ ଭାଇ ଚିନ୍ମୟ । ହେଲେ ଚିନ୍ମୟ ଦେହରେ ମାଡୁଥିବା ଏହି କଳା କଳା ଦାଗକୁ ନେଇ ପୂରା ପରିବାର ଚିନ୍ତାରେ ପଡିଛି । ପୁଅକୁ ଭଲ କରିବା ପାଇଁ ଗରିବ ଦିନ ମଜୁରିଆ ବାପା ଏ ଡାକ୍ତରଖାନାରୁ ସେ ଡାକ୍ତରଖାନା ଦୌଡି ଦୌଡି ନୟାନ୍ତ  ହେଲେଣି । ହେଲେ ଚିନ୍ମୟର ରୋଗ ଚିହ୍ନି ପାରୁନାହାନ୍ତି ଡାକ୍ତର । ଚିତ୍ରସେନ ପୁଅର ଚିକିତ୍ସା ବାବଦକୁ ଡିହ ବିକି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସାରିଲେଣି ।

ତେବେ ଅର୍ଥ ଅଭାବରୁ ଚିନ୍ମୟର ଚିକିତ୍ସା ହୋଇ ପାରୁନଥିବାରୁ ସ୍ଥାନୀୟ ଲୋକେ ସରକାରୀ ସହାୟତା ପାଇଁ ନିବେଦନ କରୁଛନ୍ତି । ୪ ବର୍ଷର ଅବୋଧ ଶିଶୁଟି ସୂର୍ଯ୍ୟ କିରଣ ଅବା ଆଲୁଅକୁ ଚାହିଁଲେ ତା ଆଖିରୁ ଲୁହ ଝରୁଛି । ତେଣୁ ଏହି କୁନି ଶିଶୁକୁ ରୋଗ ମୁକ୍ତ କରିବା ପାଇଁ ଆପଣମାନଙ୍କ ସାହାଯ୍ୟ ସହଯୋଗ ନିତ୍ୟାନ୍ତ ଜରୁରୀ  ।