ରାଜ୍ୟରେ ନୂଆକରି ଗଢ଼ି ଉଠିବ ୪ ହଜାର ନୂଆ ଗ୍ରାମ । ଜିଲ୍ଲାପାଳଙ୍କୁ ଚିଠି ଲେଖି ପଦକ୍ଷେପ ନେବା ପାଇଁ ରାଜସ୍ୱ ବିଭାଗର ନିର୍ଦ୍ଦେଶ ।

ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତ ହେଉଛନ୍ତି କି ସରକାର?

333

କନକ ବ୍ୟୁରୋ: ରାଜ୍ୟରେ ଆହୁରି ୪ ହଜାର ନୂଆ ଗାଁ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ଏନେଇ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି । ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ରାଜସ୍ୱ ସଚିବ । ଏହି ଚିଠି ଫଳରେ ପଞ୍ଚାୟତ ନିର୍ବାଚନ ଆଗରୁ ରାଜ୍ୟରେ ନୂଆ ରାଜସ୍ୱ ଗ୍ରାମ ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି ହୋଇଛି । ଏଥିପାଇଁ ଅନେକ ମାପଦଣ୍ଡ ମଧ୍ୟ ନିର୍ଦ୍ଧାରଣ କରାଯାଇଛି ।

ମୂଳ ରାଜସ୍ୱ ଗ୍ରାମଠାରୁ ଅଧ କିମି ଦୂରରେ ଥିବା ପଡାଗୁଡିକୁ ଗାଁରେ ପରିଣତ କରାଯିବ । ଅଧ କିମି ଦୂରରେ ଥିବା ପଡାରେ ଅତିକମରେ ୨୫୦ ଲୋକ ବସବାସ କରୁଥିଲେ ତାକୁ ଗାଁର ମାନ୍ୟତା ଦିଆଯିବ । ଅନ୍ୟପଟେ କୌଣସି ପଡା ଅଧ କିମି ଦୂରରେ ନଥିଲେ ବି ୩ ଶହ ଲୋକ ବସବାସ କରୁଥିଲେ ତାକୁ ମଧ୍ୟ ଗାଁରେ ପରିଣତ କରାଯାଇ ପାରିବ ।

ସେହିପରି ୨୫୦ରୁ କମ ଲୋକ ରହୁଥିଲେ ବି ପ୍ରାକୃତିକ ବ୍ୟବସ୍ଥାରେ ମୂଳ ଗାଁରୁ ଅଲଗା ଥିଲେ ତାକୁ ଗାଁର ମାନ୍ୟତା ମିଳିବ । ଲୋକଙ୍କ ସୁବିଧା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଉଥିବା କୁହାଯାଇଛି । ବଡ କଥା ହେଉଛି, ଯେଉଁ ପଡା ଗୁଡିକ ଗାଁର ମାନ୍ୟତା ପାଇବେ ଏବଂ ମୂଳ ଗାଁ ଗୁଡିକ ମଧ୍ୟରେ ଯାହା ସାଧାରଣ ଗୋଚର ଏବଂ କମ୍ୟୁନାଲ ଲ୍ୟାଣ୍ଡ ଥିବ ତାକୁ ଉଭୟ ପକ୍ଷ ବ୍ୟବହାର କରିପାରିବେ । ଏଥିରେ କୈାଣସି ବ୍ୟତିକ୍ରମ ଆସିବ ନାହିଁ । ଏହା କମନ୍ ପ୍ରପର୍ଟି ଭାବେ ବ୍ୟବହାର ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ଏବେ ରାଜ୍ୟରେ ସେଟେଲମେଣ୍ଟ ଏବଂ କନସୋଲିଡେସନ୍ କାର୍ଯ୍ୟ ବନ୍ଦ ରହିଥିବାରୁ ଗାଁ ଗୁଡିକର ଗଠନ ପ୍ରସ୍ତାବ ସଂପୂର୍ଣ୍ଣ ଭାବେ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ କରାଯାଇଛି । ସଂରକ୍ଷଣର ସୀମା ଉପରେ ଗୁରୁତ୍ୱାରୋପ ନକରି ରାଜ୍ୟରେ ଏସବୁ ଗାଁ ଗୁଡିକୁ ଏବେ ଗଠନ କରାଯିବ । ପଞ୍ଚାୟତ ନିର୍ବାଚନ ଆଗରୁ ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଯଥେଷ୍ଟ ଗୁରୁତ୍ୱ ବହନ କରୁଛି । ଗାଁର ସଂଖ୍ୟା ବଢିବା ସହ ପଞ୍ଚାୟତ ସଂଖ୍ୟା ମଧ୍ୟ ବଢିପାରେ ବୋଲି ଅନୁମାନ କରାଯାଉଛି । ସେହିଭଳି ଦିଲ୍ଲୀ ସ୍ତରରେ ସଂସଦୀୟ କ୍ଷେତ୍ର ସଂଖ୍ୟା ମଧ୍ୟ ବଢାଇବାକୁ ଚିନ୍ତା କରାଯାଉଥିବା ବେଳେ ପଲ୍ଲୀ ସ୍ତରରେ ଲାଗୁ ହେବାକୁ ଯାଉଥିବା ଏସବୁ ନିଷ୍ପତ୍ତିର ଗୁରୁତ୍ୱ ଅଧିକ ବଢିଯାଉଛି ।