ମହାନଦୀରେ ଭାସିଗଲେ ୪ ଛାତ୍ର : ଜଣଙ୍କ ମୃତଦେହ ଉଦ୍ଧାର, ୩ ନିଖୋଜ

ଓଡ୍ରାଫ ଟିମ୍ ପକ୍ଷରୁ ଚାଲିଛି ସର୍ଚ୍ଚ ଅପରେସନ; ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ

306

କନକ ବ୍ୟୁରୋ :ମହାନଦୀରେ ଭାସିଗଲେ ୪ଛାତ୍ର । ଜଣଙ୍କ ମୃତ ଦେହ ଉଦ୍ଧାର ଓ ଏବେ ବି ତିନି ଜଣ ନିଖୋଜ ଅଛନ୍ତି, ଖୋଜାଖୋଜି ଜାରି । ଏମାନେ ସମସ୍ତେ ଚାଉଳିଆଗଂଜ ଅଂଚଳ ଥାନା ପୋତାପୋଖରୀ ଓ ବିନାୟକ ନଗରର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନରେ ଏହି ୪ ଜଣ ସାଙ୍ଗ ଗାନ୍ଧୀପଲ୍ଲୀ ବାଲିଗଡାରେ ଦୁଇଟି ସାଇକେଲ ରଖି ପଠାକୁ କୋଳି ତୋଳିବାକୁ ଯାଇଥିବାବେଳେ ନଦୀସ୍ରୋତରେ ଭାସି ଯାଇଥିଲେ। ଭାସି ଯିବା ସମୟରେ ନଦୀ ଭିତରଟି ଅନ୍ଧାରୁଆ ହୋଇ ଯାଇଥିଲା । ଫଳରେ, ଏ ସଂପର୍କରେ କେହି ଜାଣି ପାରି ନଥିଲେ । ବିଳମ୍ବିତ ରାତିରେ କିଛି ଯୁବକ ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ସେଠାରେ ଦୁଇଟି ସାଇକେଲ ପଡ଼ିଥିବା ଦେଖି ଆଖପାଖ ଲୋକଙ୍କୁ ଖବର ଦେଇଥିଲେ । ଖବର ଦେବା ପରେ ନୂଆବଜାର ପୋତାପୋଖରୀ ଅଞ୍ଚଳର ଦୁଇ ଜଣ ସ୍କୁଲ ଛାତ୍ର ଘରୁ ନଦୀକୁ କୋଳି ତୋଳିବାକୁ ଯାଉଛନ୍ତି ବୋଲି କହି ଆଉ ଘରକୁ ଫେରି ନଥିବା ଜଣାପଡ଼ିଥିଲା ।

ଘର ଲୋକ ଏ ସଂକ୍ରାନ୍ତରେ ଖବର ପାଇବା ପରେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଖୋଜାଖୋଜି କରି ଭଦିମୂଳ ଘାଟ ନିକଟରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତଦେହଟି ପୋତାପୋଖରୀ ଅଞ୍ଚଳର ମୁନା ବେହେରାଙ୍କ ପୁଅ ଜଗା ବେହେରାଙ୍କର ବୋଲି ସ୍ପଷ୍ଟ ହୋଇଥିବା ବେଳେ ଏହି ସାହିର ରବି ସେଠୀଙ୍କ ପୁଅ ଶୁଭମ ସେଠୀ, ଅଜୟ ବେହେରାଙ୍କ ପୁଅ ଚନ୍ଦନ ବେହେରା ଏବଂ ଅନ୍ୟଜଣେ ଛାତ୍ରଙ୍କୁ ଉଦ୍ଧାର କରାଯାଇ ପାରିନାହିଁ ।

ରାତି ହୋଇ ଯାଇଥିବା ଯୋଗୁଁ ଓଡ୍ରାଫ ଓ ଅଗ୍ନିଶମ ବିଭାଗକୁ ଖୋଜାଖୋଜି କରିବାରେ ସମସ୍ୟା ହେଉଛି । ଘଟଣାସ୍ଥଳରେ କଟକ ଡିସିପି ପ୍ରତୀକ ସିଂହ ପହଁଚି ନଦୀପଠା ମଧ୍ୟକୁ ଏକ ଉଦ୍ଧାରକାରୀ ଦଳକୁ ପଠାଇବା ସହ କାଲି ସକାଳ ୫ଟାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗାନ୍ଧୀ ପଲ୍ଲୀ ବାଲିଗଡ଼ା ପାଖରେ ପଡ଼ିଥିବା ଦୁଇଟି ସାଇକେଲକୁ ଚାଉଳିଆଗଞ୍ଜ ଥାନା ପୁଲିସ ଜବତ କରିଛି ।