ରାଜସ୍ଥାନରେ ବି ଆଜିଠୁ ମାର୍ଚ୍ଚ ୩୧ ଯାଏଁ ଲକଡାଉନ୍: ଜାରି ରହିବ ଅତିଆବଶ୍ୟକ ସେବା; କରୋନା ମୁକାବିଲା ପାଇଁ ସୀମା ସିଲ କଲେ ୪ରାଜ୍ୟ

ସେପଟେ ଭିଡ କମାଇବାକୁ ମଦୁରାଇ ଜେଲରୁ ଜାମିନରେ ଛଡାଗଲା ୫୧ କଏଦୀ

1,543

କନକ ବ୍ୟୁରୋ: କୋଭିଡ-୧୯ ରୋକିବାକୁ ଦେଶର ୪ଟି ରାଜ୍ୟ ନିଜ ସୀମାକୁ ସିଲ କରିଦେଇଛନ୍ତି । ମହାରାଷ୍ଟ୍ର, ଗୋଆ, ବିହାର ଓ ପଶ୍ଚିମବଙ୍ଗ ନିଜ ରାଜ୍ୟର ସୀମାକୁ ମାର୍ଚ୍ଚ ୨୨ରୁ ମାର୍ଚ୍ଚ ୩୧ ଯାଏଁ ସିଲ କରିଦେଇଛନ୍ତି । ସେହିପରି ମିଜୋରାମ ଅନ୍ୟରାଜ୍ୟର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି । ମହାରାଷ୍ଟ୍ର ସରକାର ଅନ୍ୟ ରାଜ୍ୟକୁ ଯାଇଥିବା ଏମଏସଆରଟିସି ବସ ଓ ଟୁରିଷ୍ଟ ବସର ଯିବା ଆସିବା ଉପରେ ରୋକ ଲଗାଇଛନ୍ତି । ସେପଟେ ଶନିବାର ମଧ୍ୟ ରାତିରୁ ମହାରାଷ୍ଟ୍ର ଓ କର୍ଣ୍ଣାଟକ ସୀମାକୁ ସିଲ କରିଛି । ସମସ୍ତ ଯାତ୍ରୀବାହି ଯାନର ପ୍ରବେଶ ଉପରେ କଟକଣା ଜାରି ହୋଇଥିବା ବେଳେ କେବଳ ଗୋଆ ବାସିନ୍ଦାଙ୍କୁ ରାଜ୍ୟରେ ପ୍ରବେଶ ଅନୁମତି ଦିଆଯାଉଛି । ସେହିପରି ପଶ୍ଚିମବଙ୍ଗ ମଧ୍ୟ ଅନ୍ୟ ରାଜ୍ୟରୁ ଆସୁଥିବା କୌଣସି ଯାନବାହନକୁ ରାଜ୍ୟ ଭିତରେ ଆଜିଠାରୁ ମାର୍ଚ୍ଚ ୩୧ ତାରିଖ ନପୁରାଇ ଦେବାକୁ ନିଷ୍ପତି ନେଇଛି ।

କରୋନା ସଂକ୍ରମଣକୁ ଆଖିରେ ରଖି ରାଜସ୍ଥାନରେ ମଧ୍ୟ ଲକଡାଉନ ବା ତାଲାବନ୍ଦ ଘୋଷଣା କରାଯାଇଛି । ମାର୍ଚ୍ଚ ୨୨ରୁ ୩୧ ତାରିଖ ଯାଏଁ ସମଗ୍ର ରାଜ୍ୟରେ ତାଲା ବନ୍ଦ ଘୋଷଣା କରିଛନ୍ତି ଗହଲୋତ ସରକାର । ତେବେ ଅତ୍ୟାବଶ୍ୟକ ଦୈନନ୍ଦିର ସାମଗ୍ରୀ ପରିବା, ଗ୍ରସୋରୀ, ଦୁଗ୍ଧ, ଔଷଧ ଦୋକାନ ଖୋଲା ରହିବ । ପୂର୍ବରୁ କେତେକ ରାଜ୍ୟ କିଛି ସହରରେ ତାଲା ବନ୍ଦ ଘୋଷଣା କରିଥିଲେ । ତେଣୁ ସମଗ୍ର ରାଜ୍ୟବ୍ୟାପୀ ତାଲାବନ୍ଦ ଘୋଷଣା କରିବାରେ ରାଜସ୍ଥାନ ଦେଶରେ ପ୍ରଥମ । ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ବରିଷ୍ଠ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ଏହି ନିଷ୍ପତି ନେଇଛନ୍ତି । ଏହି ତାଲାବନ୍ଦ ସମୟରେ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ମଲ, ଫ୍ୟାକ୍ଟ୍ରି ଓ ପବ୍ଲିକ ଟ୍ରାନ୍ସପୋର୍ଟ ବନ୍ଦ ରହିବ । ଏଥିସହ ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ରାଜ୍ୟବାସୀଙ୍କୁ ଅପିଲ କରି କହିଛନ୍ତି, ସରକାର ଜାରି କରିଥିବା ଆଡଭାଇଜରିକୁ ପାଳନ କରନ୍ତୁ, ଜରୁରୀ ନହେଲେ ଘରୁ ବାହାରନ୍ତୁ ନାହିଁ ।