ପରିବାରର ୪ ପୁଅ ଝିଅ ଆଇଏଏସ୍, ଆଇପିଏସ୍ ; ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ମିଶ୍ରା ଫ୍ୟାମିଲି

3,260

କନକ ବ୍ୟୁରୋ: ଉତ୍ତରପ୍ରଦେଶ ପ୍ରତାପଗଡ ଜିଲ୍ଲା ଲାଲଗଂଜର ମିଶ୍ରା ପରିବାର, ୪ ପୁଅ ଝିଅ ପ୍ରଶାସନିକ ଅଧିକାରୀ । ଜଣେ ଝିଅ ଆଇପିଏସ୍ ହୋଇଥିବାବେଳେ ଅନ୍ୟ ୩ ପୁଅ ଝିଅ ଆଇଏଏସ୍ ଅଧିକାରୀ । ଆପଣ ଅନେକ ଆଇଏଏସ୍ଓ ଆଇପିଏସ୍ ଅଫିସରଙ୍କ କାହାଣୀ ତ ଶୁଣିଥିବେ ହେଲେ ଏ ପରିବାରର ସଫଳତାର ଯାତ୍ରା ସବୁଠୁ ଅଲଗା ଓ ପ୍ରେରଣାଦାୟୀ ।

ପରୀକ୍ଷା ଭିତରେ UPSC ପରୀକ୍ଷା ସବୁଠୁ ଟଫ୍ । ଅନେକ ଆଇଏଏସ୍ କିମ୍ବା ଆଇପିଏସ୍ ହେବା ସ୍ୱପ୍ନ ଦେଖନ୍ତି ହେଲେ ଖୁବ୍ କମ୍ ଏହି ସ୍ୱପ୍ନକୁ ପୂରଣ କରିପାରନ୍ତି । କାରଣ ଏଥିପାଇଁ ରାତି ଦିନ ଅକ୍ଳାନ୍ତ ପରିଶ୍ରମ କରିବାକୁ ପଡେ । ପାଖାପାଖି ସବୁ ବିବଷୟରେ ଜ୍ଞାନ ରହିବା ନିହାତି ଜରୁରୀ । ଲକ୍ଷ ଲକ୍ଷ ଆଶାୟୀ ଏହି ପରୀକ୍ଷା ଦିଅନ୍ତି ହେଲେ କିଛି ମାତ୍ର ଏଥିରେ ଉତ୍ତୀର୍ଣ୍ଣ ହୁଅନ୍ତି । ଆଜି ଆମେ ଆପଣଙ୍କୁ ଏଭଳି ୪ ଜଣ ଆଇଏଏସ୍ ଆଇପିଏସ୍ ଅଫିସରଙ୍କ ବିଷୟରେ କହିବୁ ଯିଏ ଅନ୍ୟ କେହି ନୁହଁନ୍ତି ବରଂ ୪ ଭାଇ ଭଉଣୀ । ଲାଲଗଞ୍ଜ ଅଫିସର ମିଶ୍ରା ଫ୍ୟାମିଲି କହିଲେ ସମସ୍ତେ ଜାଣନ୍ତି । ହେଲେ ଏ ପରିବାରର ୪ ଭାଇ ଭଉଣୀ ପ୍ରଶାସନିକ ଅଧିକାରୀ କିପରି ହେଲେ ତାହା ସବୁଠୁ ନିଆରା ।

ଘରର ବଡ ପୁଅ ୟୋଗେଶ ମିଶ୍ରା ପ୍ରଥମେ ଜଣେ ସଫ୍ଟୱେର ଇଞ୍ଜିନିୟର ଥିଲେ । ସାନ ଦୁଇ ଭଉଣୀ କ୍ଷମା ଓ ମାଧବୀ ୟୁପିଏସି ପରୀକ୍ଷା ଦେଇ ପ୍ରଥମ ଚେଷ୍ଟାରେ ବିଫଳ ହେବା ପରେ ସବୁବେଳ ଉଦାସ ରହୁଥିଲେ । ଏହା ବଡଭାଇ ଯୋଗେଶଙ୍କୁ ଚିନ୍ତାରେ ପକାଇଥିଲା । ଦୁଇ ଭଉଣୀଙ୍କ ସ୍ୱପ୍ନକୁ ପୂରଣ କରିବାକୁ ବଡ ନିଷ୍ପତ୍ତି ହେଲେ । ସଫ୍ଟୱେର ଚାକିରୀ ଛାଡି ଘରକୁ ଆସିଲେ । ନିଜେ ୟୁପିଏସସି ପରୀକ୍ଷା ନିଷ୍ଠାର ସହ ପ୍ରସ୍ତୁତି କଲେ । ୨୦୧୩ରେ ପ୍ରଥମ ଚେଷ୍ଟାରେ ହିଁ ଆଇଏଏସ୍ ବନିଲେ । ଏହାପରେ ବି ଯୋଗେଶ ଅଟକିନଥିଲେ । ତାଙ୍କ ଆଗରେ ଥିଲା ଦୁଇ ଭଉଣୀଙ୍କ ସ୍ୱପ୍ନ ।

ନିଜର ଅଭିଜ୍ଞତାରୁ ସାଉଁଟିଥିବା ଜ୍ଞାନକୁ ଦୁଇ ଭଉଣୀ କ୍ଷମା ଓ ମାଧବୀଙ୍କୁ ବାଣ୍ଟିଥିଲେ । ୟୁପିଏସସି ପାଇଁ ଦୁଇ ଭଉଣୀଙ୍କୁ ଫୁଲ ଗାଇଡ୍ କରିଥିଲେ । ସୁବୁଠୁ ବଡ କଥା ହେଲା ବିନା କୌଣସି କୋଚିଙ୍ଗରେ ବଡ ଭାଇ ଯୋଗେଶଙ୍କ ଗାଇଡାନ୍ସରେ କ୍ଷମା ଓ ମାଧବୀ ଯଥାକ୍ରମେ ୨୦୧୫ ଓ ୧୬ରେ ୟୁପିଏସସି କ୍ଲିଅର କଲେ । କ୍ଷମା ଏବେ କର୍ଣ୍ଣାଟକ କ୍ୟାଡରର ଆଇପିଏସ୍ ଥିବାବେଳେ ମାଧବୀ ଝାରଖଣ୍ଡ ରାମଗଡରେ ଆଇଏଏସ୍ ଭାବେ ନିଯୁକ୍ତ ।

୩ ଭାଇ ଭଉଣୀଙ୍କ ପରିଶ୍ରମ ଦେଖି ନିଜକୁ ରୋକିପାରିନଥିଲେ ସାନ ଭାଇ ଲୋକେଶ ମିଶ୍ରା । ସେ ମଧ୍ୟ ବଡଭାଇଙ୍କ ମାର୍ଗଦର୍ଶନରେ ୟୁପିଏସସି ପାଇଁ ଜୋରଦାର ପ୍ରସ୍ତୁତି କଲେ ଏବଂ ୨୦୧୬ରେ ସାନ ଭଉଣୀ କ୍ଷମାଙ୍କ ସହ ସେ ମଧ୍ୟ ସଫଳ ହେଲେ ଏବଂ ଆଇଏଏସ୍ ହେଲେ । ଏବେ ସେ ରାଞ୍ଚିର ଏସଡିଏମ ଭାବେ କାର୍ଯ୍ୟରତ । ପ୍ରକୃତରେ ଏପରିବାରର ୪ ଭାଇଭଉଣୀ ପ୍ରଶାସନିକ ଅଧିକାରୀ ହେବା ଠାରୁ ବଡ କଥା ହେଉଛି ସେମାନଙ୍କ ମଧ୍ୟରେ ଥିବା ପରସ୍ପର ପ୍ରତି ତ୍ୟାଗ ଓ ସହଯୋଗ । ନିଜ ପିଲାଙ୍କୁ ଏଭଳି ସଫଳତାର ଆସନରେ ଦେଖି ବାପା ଅନିଲ ମିଶ୍ରା ଓ ମା’କୃଷ୍ଣା ମିଶ୍ରା ସବୁ ଶ୍ରେୟ ଈଶ୍ୱରଙ୍କୁ ଦିଅନ୍ତି । ନିଜ ପିଲାମାନଙ୍କୁ ସଫଳ ହେବା ଦେଖିବାକୁ ଚାହୁଁଥିଲେ କେବେବି ପିଲାଙ୍କ ଉପରେ ନିଜ ଇଚ୍ଛାକୁ ଜାହିର କରିନଥିଲେ । ତଥାପି ତାଙ୍କର ଇଚ୍ଛାକୁ ପୂରଣ କରିଛନ୍ତି ୪ ପୁଅଝିଅ, ଯାହା ପ୍ରତି ପରିବାର ଓ ପୁଅଝିଅଙ୍କ ପାଇଁ ଏକ ବାର୍ତ୍ତା ।