ରାଉରକେଲାରୁ ଆସିଲା ଛାତିଥରା ଦୁର୍ଘଟଣାର ଲୋମଟାଙ୍କୁରା ଖବର । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ।

604

କନକ ବ୍ୟୁରୋ : ଝାଡ଼ଖଣ୍ଡ ଖୁଣ୍ଟି ତୋରପା ସଡ଼କ ଦୁର୍ଘଟଣାରେ ରାଉରକେଲା ସିଭିଲଟାଉନସିପ୍‌ର ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ଦୁଇ ଶିଶୁ ଓ ସେମାନଙ୍କ ପିତାମାତା । ସେମାନେ ହେଲେ ରାଉରକେଲା ସିଭିଲଟାଉନସିପ୍‌ର କହ୍ନୈୟା ଜୈନ, ପତ୍ନୀ ରମା ଜୈନ, ୭ ବର୍ଷର ପୁଅ ଋଷବ ଜୈନ, ତିନି ବର୍ଷର ପୁଅ ନିତ୍ୟା ଜୈନ । କାର୍‌ ଚଳାଉଥିବା ବଶିଷ୍ଠ ଜୈନ, ଅନ୍ୟ ଜଣେ ଯୁବତୀ ଆଂଶିକ ଗୁରୁତର ହୋଇଛନ୍ତି । ଦୁହିଁଙ୍କୁ ଚିକିତ୍ସା ପାଇଁ ରାଞ୍ଚି ସ୍ଥିତ ରିମ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୁଲିସ ଚାରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଇଛି । ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି । ଏଭଳି ଦୁଃଖଦ ଖବରକୁ ନେଇ ରାଉରକେଲା ସିଭିଲଟାଉନସିପ୍‌ରେ ଦୁଃଖର ଛାୟା ଖେଳିଯାଇଛି ।

ମିଳିଥିବା ସୂଚନା ମୁତାବକ ରାଉରକେଲା ସିଭିଲଟାଉନସିପ୍ ବଶିଷ୍ଠ ଜୈନ ଓ ତାଙ୍କ ପରିବାର ଇନୋଭା କାର୍‌ରେ ଝାଡ଼ଖଣ୍ଡ ରାଞ୍ଚି ଦେଇ କୋଲକାତା ରାଣିଗଞ୍ଜର ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ । ଆଜି କାର୍‌ରେ ବଶିଷ୍ଠ ଜୈନ, ଜଣେ ଯୁବତୀଙ୍କ ସହ କହ୍ନେୟା ଜୈନ ପତ୍ନୀ ରମା ଦୁଇ ପିଲା ରାଞ୍ଚି ଦେଇ ଘରକୁ ଫେରୁଥିଲେ । ବଶିଷ୍ଠ ଜୈନ କାର୍‌ ଚଳାଉଥିଲେ । ଖୁଣ୍ଟି ଜିଲ୍ଲା ତୋରପା ଚୁରାଗୀ ନିକଟ ବୁଲାଣୀରେ ଇନୋଭା କାର୍‌ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ଗଭୀର ଖାତରେ ପଡିଯାଇଥିଲା । ଦ୍ରୁତ ବେଗରେ ଥିବାରୁ କାର୍‌ଟି ସମ୍ପୂର୍ଣ୍ଣ ଚୁର୍‌ମାର୍‌ ହୋଇଯାଇଥିଲା । ସମସ୍ତେ କାର୍‌ ସହ ଖାତ ଭିତରେ ଫସି ରହିଥିଲେ । କାର୍‌ର ଗେଟ୍‌ ମଧ୍ୟ ଖୋଲି ନଥିଲା । ସ୍ଥିତି ଏମିତି ହୋଇଥିଲା ଯେ, ସ୍ଥାନୀୟ ଲୋକ ଗ୍ୟାସ୍‌ କଟର ସହାୟତାରେ ଡୋର୍‌ କାଟି ମୃତ୍ୟୁବରଣ କରିଥିବା କହ୍ନେୟା ଓ ତାଙ୍କ ପତ୍ନୀ ରମା ଓ ଦୁଇ ପିଲାଙ୍କ ସହ ଅନ୍ୟ ଦୁଇଜଣଙ୍କୁ ଉଦ୍ଧାର କରିଥିଲେ।