ଲଗାଣ ବର୍ଷା ପରେ ରାଜନଗରରେ ବନ୍ୟା ପରିସ୍ଥିତି : ଚାଷ ଜମିରେ ଅଂଟାଏ ଉଚ୍ଚର ପାଣି

73

କନକ ବ୍ୟୁରୋ : ବର୍ଷା ପରେ ରାଜନଗରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ରାଜନଗର ଅଂଚଳରେ ବନ୍ୟା ପାଣି ବଢ଼ିବାରେ ଲାଗିଛି । ୪ଟି ପଂଚାୟତ ବାହ୍ୟ ଜଗତରୁ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ଚାଷ ଜମିରେ ଅଂଟାଏ ଲେଖା ପାଣି ଜମି ରହିଛି । ଚାଷ ଜମିର ଏଭଳି ପରିସ୍ଥିତି ଦେଖି ଚିନ୍ତାରେ ପଡ଼ି ଯାଇଛି ଚାଷୀ । ପରିସ୍ଥିତିକୁ ମୁକାବିଲା ପାଇଁ ବ୍ଲକ ପ୍ରଶାସନ ଟିମ୍ ଗଠନ କରି ବନ୍ୟାଂଚଳରେ ଡେରା ପକାଇଛନ୍ତି । ଧୋୟା ଅଂଚଳରେ ଥିବା ଖରିଫ ଧାନ ଚାଷ ଓ ପନିପରିବା ଫସଲ ବନ୍ୟା ପାଣିରେ ବୁଡ଼ି ରହିଛି ।

ସେହିପରି ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଛି । ମାର୍ଶାଘାଇ, ମହାକାଳପଡ଼ା ଏବଂ ଗରଦପୁର ବ୍ଲକରେ ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ମହଜୁଦ ରଖିବା ସହିତ ସ୍ଥିତି ଉପରେ ନଜର ରଖାଯାଇଛି । ଜଳ ସମ୍ପଦ ବିଭାଗ ପକ୍ଷରୁ ନଦୀ ବନ୍ଧ ଉପରେ ସତର୍କ ଦୃଷ୍ଟି ରଖଯାଇଛି । ହୀରାକୁ ଜଳଭଣ୍ଡାରରୁ ଛଡ଼ା ଯାଇଥିବା ବନ୍ୟା ପାଣି ଆସନ୍ତାକାଲି ମହାନଦୀ ଅବବାହିକାରେ ପହଂଚିବା ପରେ ଲୁଣା, ଚିତ୍ରୋତ୍ପଳା, ପାଇକା, କରାଣ୍ଡିଆ ଏବଂ ମହାନଦୀରେ ଜଳସ୍ତର ବୃଦ୍ଧି ପାଇବା ସହିତ ବନ୍ୟା ପରିସ୍ଥିତି ସୃ୍ଷ୍ଟି ହେବାର ଆଶାଙ୍କା ଦେଖାଦେଇଛି ।

ସେପଟେ, ମହାନଦୀର ଜଳସ୍ତର ବଢିବା ସହ ନଦୀ ତଟବର୍ତୀ ଅଂଚଳର ଲୋକଙ୍କ ଭିତରେ ଛନକା ପଶିଛି  । ଦୟା ନଦୀରେ ବନ୍ୟା ଜଳ ପ୍ରଭାବରେ ପୁରୀ ଜିଲ୍ଲା କଣାସ ବ୍ଲକର ୧୦ଟି ଗାଁ ଜଳମଗ୍ନ ହୋଇଛି  । ବନ୍ୟା ପାଣି ଭିତରେ ଲୋକଙ୍କ ଦୁର୍ଦଶା ବଢିବାରେ ଲାଗିଛି  । ଗାଁ ଦାଣ୍ଡରେ ଲହଡି ମାରୁଛି ପାଣି  । ଅନେକ ଲୋକଙ୍କ ଘର ଭିତରେ ପାଣି ପଶିଯାଇଛି  ।

ଅନ୍ୟପକ୍ଷରେ ବନ୍ୟା ପାଣି ଘେରରେ ଖୋର୍ଦ୍ଧା ଜିଲ୍ଲା ଓରବରସିଂ ପଂଚାୟତର ୫ଟି ଗାଁ । ରାଜୁଆ ନଦୀରେ ବନ୍ୟା ପରିସ୍ଥିତି ଉପୁଜିବାରୁ ୫ଟି ଗାଁରେ ବନ୍ୟା ପାଣି ପ୍ରବେଶ କରିଛି । ତେଣୁ ଘର ବାହାରେ ନଦୀର ଭ୍ରମ ସୃଷ୍ଟି ହୋଇଛି । ଅନ୍ୟପଟେ ହରିମୂଳ-ଡିହଖଳା ରାସ୍ତାରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ତେଣୁ ହିରିମୂଳ ଗାଁ ସମ୍ପୂର୍ଣ୍ଣ ଭାବରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଲଗାଣ ବର୍ଷା ଛାଡିବା ପରେ ଏବେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ଭାବ୍ୟ ବନ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଏବେ ପ୍ରସ୍ତୁତ ରହିଛନ୍ତି । ଏଥିସହ ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।