ଓଡିଶାରେ କରୋନା ଭୟ: ନଜରରେ ୨୫; କଟକ ବଡ ମେଡିକାଲରେ ଆଉ ଜଣେ ସନ୍ଦିଗ୍ଧ ଭର୍ତ୍ତି

283

କନକ ବ୍ୟୁରୋ: ଦିନକୁ ଦିନ ଭୟଙ୍କର ହେଉଛି କରୋନା ଭୂତାଣୁ। ଏ ପର୍ଯ୍ୟନ୍ତ ୨୫ଟି ଦେଶ ଏଥିରେ ଆକ୍ରାନ୍ତ ହୋଇଥିବା ବେଳେ ଭାରତରେ ୩ଟି କରୋନା ଭୂତାଣୁ ପଜିଟିଭ୍ ଚିହ୍ନଟ ହୋଇଛି। ସେହିପରି ଓଡ଼ିଶାରେ ଏ ପର୍ଯ୍ୟନ୍ତ କରୋନା ଭୂତାଣୁ ସଂକ୍ରମିତ ସନ୍ଦେହରେ ୨୫ଜଣଙ୍କୁ ଚିହ୍ନଟ କରାଯାଇଛି। ତହିଁରୁ ୩ଜଣ କଟକସ୍ଥିତ ଏସସିବି ମେଡିକାଲର ଆଇସୋଲେସନ୍ ୱାର୍ଡରେ ଭର୍ତି ହୋଇଥିବା ବେଳେ ୨୨ଜଣଙ୍କୁ ଘରେ ଆଇସୋଲେସନରେ ରଖାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅପରପକ୍ଷରେ ରାଜ୍ୟରୁ ଏ ପର୍ଯ୍ୟନ୍ତ ୬ଟି ନମୁନା ପରୀକ୍ଷା ପାଇଁ ଏନଆଇଭି ପୁନେକୁ ପଠାଯାଇଥିବା ବେଳେ ତହିଁରୁ ୫ ନମୁନା ନେଗେଟିଭ୍ ରହିଛି। ଗୋଟିଏ ନମୁନା ରିପୋର୍ଟ ଏ ପର୍ଯ୍ୟନ୍ତ ଆସିନାହିଁ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଚୀନ୍ ଓ କରୋନା ସଂକ୍ରମିତ ଦେଶରୁ ଫେରିଥିବା ୨୫ଜଣ ବ୍ୟକ୍ତିଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରାଯାଇ ସାରିଲାଣି। ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଏସସିବି ମେଡିକାଲର ଆଇସୋଲେସନ୍ ୱାର୍ଡରେ ଭର୍ତି କରାଯାଇଥିବା ବେଳେ ଅନ୍ୟ ୨୨ଜଣଙ୍କୁ ଘରେ ଆଇସୋଲେସନରେ ରହିଛନ୍ତି। ଯେଉଁ ୧୧ ଜଣଙ୍କ ଉପରେ ବିଶେଷ ଦୃଷ୍ଟି ରଖାଯାଇଛି, ତା ମଧ୍ୟରୁ ୧୦ଜଣ ଘରେ ଆଇସୋଲେସନରେ ରହିଥିବା ବେଳେ ଜଣେ ଏସସିବିରେ ଆଡମିଟ୍ ହୋଇଛନ୍ତି। କରୋନା ଭୂତାଣୁ ପାଇଁ ସ୍ବାସ୍ଥ୍ୟ ବିଭାଗ ସଜାଗ ରହିଥିବା ବେଳେ ଏଥିପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା କରାଯାଇଛି।

ଡିଏମଇଟି ପ୍ରଫେସର କହିଛନ୍ତି ଯେ, , ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ସେମାନଙ୍କ ଅଞ୍ଚଳରେ ଚୀନ୍ ଫେରନ୍ତା ବ୍ୟକ୍ତିମାନଙ୍କ ସଂପର୍କରେ ତଥ୍ୟ ମଗାଯାଇଛି। ଯେହେତୁ ଲୋକମାନେ ନିଜେ ପାସପୋର୍ଟ କରି ବିଦେଶ ଯାଉଛନ୍ତି ତେଣୁ ସବୁ ତଥ୍ୟ ନ ଥାଇପାରେ। ଏଥିରେ କେନ୍ଦ୍ର ସରକାର ମଧ୍ୟ ସହଯୋଗ କରିବା ଆବଶ୍ୟକ। ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫ଟି ଶଯ୍ୟା ଓ ମୁଖ୍ୟ ଡାକ୍ତରଖାନାରେ ୩୦ଟି ଶଯ୍ୟା କରୋନା ଆକ୍ରାନ୍ତଙ୍କ ପାଇଁ ସଂରକ୍ଷିତ ରଖିବା ପାଇଁ କେନ୍ଦ୍ରର ନିର୍ଦେଶ ରହିଛି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ଏ ସଂପର୍କରେ ତଦାରଖ କରିଛନ୍ତି। ୪୧ଟି ବିମାନ ବନ୍ଦରରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍କ୍ରିନିଂ କରାଯାଉଛି। ବିମାନ ବନ୍ଦର କର୍ତୃପକ୍ଷ ମଧ୍ୟ ଥର୍ମାଲ କ୍ୟାମେରାର ବ୍ୟବସ୍ଥା କରିଛନ୍ତି। କଟକସ୍ଥିତ ଏସ୍ସିବି ମେଡିକାଲ କଲେଜରେ ୮୪ଟି ଶଯ୍ୟା ରହିଛି ଏହାକୁ ୧୫୦କୁ ବୃଦ୍ଧି କରାଯାଇପାରେ।