କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୪ ଓଡ଼ିଆ ଶ୍ରମିକ , ପ୍ରତ୍ୟେକଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ଦେଲେ ମୁଖ୍ୟମନ୍ତ୍ରୀ । ଉତ୍ତରାଖଣ୍ଡ ଟନେଲରୁ ଉଦ୍ଧାର ହୋଇଥିବା ଓଡ଼ିଆ ଶ୍ରମିକ ମାନେ ଭୁବନେଶ୍ୱରରେ ପହଞ୍ଚି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଏହି ଅବସରରେ ସେମାନଙ୍କୁ ଅଭିନନ୍ଦନ ଜଣାଇ ମୁଖ୍ୟମନ୍ତ୍ରୀ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଥିଲେ । ସେମାନେ ସମସ୍ତେ ଭଲ ଅଛନ୍ତି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀଙ୍କ ସହୃଦୟତା ପାଇଁ ଧନ୍ୟବାଦ୍ ଦେଇଥିଲେ ।

Advertisment

ଟନେଲ୍ ଭିତରେ ସେମାନଙ୍କ ସଂଘର୍ଷ ପୂର୍ଣ୍ଣ ଜୀବନ ବିଷୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ସେମାନଙ୍କ ଠାରୁ ଶୁଣିଥିଲେ। ସେମାନେ ବାସ୍ତବରେ ଜଣେ ଜଣେ ହିରୋ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରତିକୂଳ ପରିସ୍ଥିତିରେ ସେମାନେ ଯେପରି ଜୀବନ ପାଇଁ ସଂଗ୍ରାମ କରି ବିଜୟୀ ହୋଇଛନ୍ତି ତାହା ବାସ୍ତବିକ୍ ପ୍ରେରଣା ଦାୟକ ବୋଲି ସେ କହିଥିଲେ । ଯେଉଁ ଶ୍ରମିକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ସେମାନେ ହେଲେ ମୟୂରଭଞ୍ଜର ରାଜୁ ନାୟକ, ଧିରେନ୍ ନାୟକ ଓ ବିଶେଶ୍ୱର ନାୟକ ଏବଂ ନବରଙ୍ଗପୁରର ଭଗବାନ ଭତ୍ରା। ସେମାନଙ୍କ ସହିତ ସେମାନଙ୍କ ପରିବାର ଲୋକମାନେ ମଧ୍ୟ ଉପସ୍ଥିତ ଥିଲେ ।