ଜୁଲାଇ ମାସରେ ସରୁଛି ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ, ପରବର୍ତ୍ତି ରାଷ୍ଟ୍ରପତି ଚୟନ ନେଇ ବିଜେପିର ମନ୍ଥନ

3,006

କନକ ବ୍ୟୁରୋ : ଜୁଲାଇ ୨୫ ତାରିଖରେ ସରୁଛି ବର୍ତ୍ତମାନର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ତେଣୁ ସେହି ଜୁଲାଇମାସରେ ପରବର୍ତ୍ତି ରାଷ୍ଟ୍ରପତି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ ଏବେଠାରୁ ବିଜେପି ଓ ଆରଏସଏସ ମଧ୍ୟରେ ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ ତାହାକୁ ନେଇ ମନ୍ଥନ ଆରମ୍ଭ ହୋଇଯାଇଛି । ଦେଶରେ ୫ ରାଜ୍ୟର ହେବାକୁ ଥିବା ନିର୍ବାଚନ ସରିବା ପରେ ଏହି ପରବର୍ତ୍ତି ରାଷ୍ଟ୍ରପତି ଚୟନ ନେଇ ମନ୍ଥନ ଜୋରଦାର ହେବ ବୋଲି ଅନୁମାନ କରାଯାଉଛି ।

ଏହାରି ମଧ୍ୟରେ ପରବର୍ତ୍ତି ରାଷ୍ଟ୍ରପତି ପଦ ପାଇଁ ବିଜେପି ଓ ଆରଏସଏସ ମଧ୍ୟରେ ୪ ଜଣଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ୪ ଜଣଙ୍କ ମଧ୍ୟରେ ରହିଛନ୍ତି ୟୁପିର ରାଜ୍ୟପାଳ ଆନନ୍ଦୀବେନ ପଟେଲ, କେରଳର ରାଜ୍ୟପାଳ ଆରିଫ୍ ମହମ୍ମଦ ଖାନ, କର୍ଣ୍ଣାଟକର ରାଜ୍ୟପାଳ ଥାବରଚନ୍ଦ ଗେହଲଟ ଓ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ ନାମ । ଏମାନଙ୍କ ନାମକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଅନ୍ୟ କାହାକୁ ବି ପ୍ରାର୍ଥୀ କରିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଆନନ୍ଦୀବେନ ପଟେଲ :ଉତ୍ତର ପ୍ରଦେଶର ରାଜ୍ୟପାଳ ଥିବା ଆନନ୍ଦୀବେନ ପଟେଲଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖ ଲୋକବୋଲି କୁହାଯାଉଛି । ସେ ଏହାପୂର୍ବରୁ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବେ ବି କାର୍ଯ୍ୟ କରିଛନ୍ତି ।

ଆରିଫ୍ ମହମ୍ମଦ ଖାନ : ଆରିଫ୍ ମହମ୍ମଦ ଖାନ ଏବେ କେରଳର ରାଜ୍ୟପାଳ ରହିଛନ୍ତି । ବିଶେଷ କରି ସେ ଉତ୍ତର ପ୍ରଦେଶର ବୁଲନ୍ଦ ସହରର ମୂଳ ବାସିନ୍ଦା । ଶାହାବାନୋ ମାମଲାରେ ସେ ରାଜୀବ ଗାନ୍ଧୀଙ୍କ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇ ଚର୍ଚ୍ଚାକୁ ଆସିଥିଲେ । ଅନ୍ୟପଟେ ସିଏଏ ଓ ଏନଆରସି ପ୍ରସଙ୍ଗରେ ସେ ସର୍ବଦା ବିଜେପି ସପକ୍ଷରେ ମତରଖି ବିରୋଧୀଙ୍କ ଟାର୍ଗେଟରେ ଥିଲେ । ଅନ୍ୟପଟେ ଖାନଙ୍କୁ ରାଷ୍ଟ୍ରପତି ବିଜେପି ପୁଣିଥରେ ମୁସଲିମ କାର୍ଡ ଖେଳିପାରେ ବୋଲି ଅନୁମାନ କରାଯାଉଛି ।

ଭେଙ୍କୟା ନାଇଡୁ : ଆନ୍ଧ୍ରପ୍ରଦେଶରେ ରହୁଥିବା ଭେଙ୍କୟା ନାଇଡୁ ଦୀର୍ଘଦିନ ହେବ ବିଜେପି ସହିତ ଜଡିତ ଅଛନ୍ତି । ସେ ୨୦୦୨-୨୦୦୪ ପର୍ଯ୍ୟନ୍ତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଥିଲେ । ଏହାସହ ସେ ଅଟଳ ବିହାରୀ ବାଜପେଇଙ୍କ ସରକାରରେ ଗ୍ରାମୀଣ ବିକାଶମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି ।

ଥବରଚନ୍ଦ ଗେହଲଟ : ଥବରଚନ୍ଦ ଗେହଲଟ ଏବେ କର୍ଣ୍ଣାଟକର ରାଜ୍ୟପାଳ ଅଛନ୍ତି । ସେ ଜଣେ ଦଳିତ ପ୍ରତିନିଧି ହୋଇଥିବାରୁ ତାଙ୍କୁ ରାଷ୍ଟ୍ରପତି କରି ବିଜେପିରେ ଥିବା ଦଳିତ ବିରୋଧୀ ଛାପକୁ ହଟାଇବାକୁ ଚେଷ୍ଟା କରିପାରେ ବିଜେପି ।