ଓଡିଶାରେ ଚିହ୍ନଟ ହେଲେ ଆଉ ୪ ଓମିକ୍ରନ ଆକ୍ରାନ୍ତ । ମୋଟ ୮ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ନାଇଜେରିଆ ଫେରନ୍ତା ।

155

କନକ ବ୍ୟୁରୋ : ରାଜ୍ୟରେ ଆଉ ୪ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ପରେ ଭୟ ବଢ଼ିଛି । ବିଶେଷ କରି ଏପର୍ଯ୍ୟନ୍ତ ୫ ଜଣ ନାଇଜେରିଆ ଫେରନ୍ତା ଓମିକ୍ରନ ସଂକ୍ରମିତ ଚିହ୍ନଟ ହେବା ମୁଣ୍ଡବିନ୍ଧାର କାରଣ ପାଲଟିଛି । ହେଲେ, ଆଶ୍ୱସ୍ତିର କଥା ହେଉଛି, ସେମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର ଆରଟିପିସିଆର ରିପୋର୍ଟ ନେଗେଟିଭ୍ ଆସିଛି । ସେହିପରି ସାରା ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ଶହ ପାର କରିଥିଲେ ବି ସେମାନଙ୍କ ମଧ୍ୟରୁ ୧୩୦ ଜଣ ସୁସ୍ଥ ହୋଇଛନ୍ତି । ଆଉ ଅଧିକାଂଶଙ୍କ ନିକଟରେ କୌଣସି ଲକ୍ଷଣ ନାହିଁ ।

ଓଡିଶାରେ ଚିହ୍ନଟ ହେଲେ ଆଉ ୪ ଓମିକ୍ରନ ଆକ୍ରାନ୍ତ । ମୋଟ ୮ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ନାଇଜେରିଆ ଫେରନ୍ତା । ରବିବାର ଚିହ୍ନଟ ହୋଇଥିବା ୪ ଓମିକ୍ରନ ସଂକ୍ରମିତଙ୍କ ମଧ୍ୟରୁ ଦୁଇ ଜଣ ନାଇଜେରିଆ ଫେରନ୍ତା ହୋଇଥିବା ବେଳେ ଅନ୍ୟ ୨ ଜଣ ସାଉଦିଆରବରୁ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ୯ ବର୍ଷର ଶିଶୁ ଅଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ନେଗେଟିଭ ହୋଇସାରିଛନ୍ତି । ନାଇଜେରିଆ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ ସମସ୍ତଙ୍କର ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିଛି । ତେବେ ସାଉଦି ଆରବ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ଆରଟିପିସିଆର ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ବଡକଥା ହେଉଛି ଚିହ୍ନଟ ହୋଇଥିବା ଓମିକ୍ରନ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ଏମାନଙ୍କ ମଧ୍ୟରୁ କାହାରିଠାରେ ସେଭଳି ଗୁରୁତର ଲକ୍ଷଣ ନାହିଁ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସୁଛି ।

ତେବେ ଚିହ୍ନଟ ୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ଜଗତସିଂହପୁରର ହୋଇଥିବାବେଳେ ଜଣେ ଗଞ୍ଜାମ ଓ ଆଉ ଜଣେ ଖୋର୍ଦ୍ଧାର ବୋଲି ଜଣାପଡିଛି । ମୋଟ ୮ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଆକ୍ରାନ୍ତ ନାଇଜେରିଆ ଫେରନ୍ତା ବୋଲି ଜଣାପଡିଛି । ତେବେ ଭଲ ଖବର ହେଉଛି ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି । ବର୍ତମାନ ସୁଦ୍ଧା ରାଜ୍ୟକୁ ୩ ହଜାରରୁ ଅଧିକ ବିଦେଶୀ ଫେରନ୍ତା ଆସିଲେଣି । ଏମାନଙ୍କ ମଧ୍ୟରୁ ପଜିଟିଭ ଆସିଥିବା ଆକ୍ରାନ୍ତଙ୍କ ନମୂନାକୁ ଜେନମ ସ୍ୱିକେନ୍ସ ପାଇଁ ପଠାଯାଇଛି । ଓମିକ୍ରନର ମୁକାବିଲା ପାଇଁ ବି ସରକାର ତତ୍ପର ହୋଇଉଠିଛନ୍ତି ।

ସେପଟେ ଭାରତରେ ବର୍ତମାନ ସୁଦ୍ଧା ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪ ଶହ ଅତିକ୍ରମ କରିଛି । ମଧ୍ୟପ୍ରଦେଶ ଓ ହିମାଚଳ ପ୍ରଦେଶରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ ୧୦୮ ଜଣ ଓମିକ୍ରନ ଆକ୍ରାନ୍ତ ରହିଥିବାବେଳେ ୧୯ଟି ରାଜ୍ୟକୁ ଓମିକ୍ରନ ବ୍ୟାପିଲାଣି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆକ୍ରାନ୍ତଙ୍କ କୌଣସି ଲକ୍ଷଣ ନାହିଁ । ଆକ୍ରାନ୍ତଙ୍କ ମଧ୍ୟରୁ ବର୍ତମାନ ସୁଦ୍ଧା ୧୩୦ ଜଣ ସୁସ୍ଥ ହୋଇସାରିଲେଣି ।