ଦକ୍ଷିଣ କଶ୍ମୀର ଅନ୍ତର୍ଗତ ଶୋପିଆଁ ଏବଂ ପୁଲ୍ଓ୍ଵାମା ଜିଲ୍ଲାରେ ନିରାପତ୍ତା ବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଘଟିଥିବା ଦୁଇଟି ପୃଥକ୍ ‘ଏନ୍କାଉଣ୍ଟର୍’ରେ ଚାରିଜଣ ଆତଙ୍କବାଦୀ ନିହତ ଓ ଚାରିଜଣ ଯବାନ ଆହତ ହୋଇଛନ୍ତି ।
ଗୁରୁବାର ସନ୍ଧ୍ୟାରେ ଶୋପିଆଁ ସହରରେ ହୋଇଥିବା ଗୁଳିବିନିମୟ ଘଟଣାରେ ତିନିଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆତଙ୍କବାଦୀ ଜନ୍ ମୋହଲ୍ଲାସ୍ଥିତ ଆଞ୍ଚଳିକ ମସ୍ଜିଦ୍ରେ ଆତ୍ମଗୋପନ କରିଥିବା ମନେହେଉଛି । ଜଣେ ସେନା ଅଧିକାରୀଙ୍କ ସମେତ ସେନାର ଚାରିଜଣ ସୈନିକ ଏହି ‘ଏନ୍କାଉଣ୍ଟର୍’ରେ ଆହତ ହୋଇଛନ୍ତି ।
ଆଜି ବଡ଼ି ଭୋର୍ରୁ ପୁଲ୍ଓ୍ଵାମା ଜିଲ୍ଲା ଅନ୍ତର୍ଗତ ତ୍ରାଲ୍ ଅଞ୍ଚଳରେ ଦ୍ୱିତୀୟ ‘ଏନ୍କାଉଣ୍ଟର୍’ ଆରମ୍ଭ ହୋଇଛି । ସେଠାରେ ଦୁଇତିନିଜଣ ଆତଙ୍କବାଦୀ ଛପି ରହିଥିବା ଅନୁମାନ କରାଯାଉଛି । ହସ୍ତଗତ ହୋଇଥିବା ସଦ୍ୟତମ ରିପୋର୍ଟ ଅନୁସାରେ, ଆତ୍ମଗୋପନ କରିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ସୁରକ୍ଷା ବଳର ଗୁଳି ଚୋଟରେ ନିହତ ହୋଇଛନ୍ତି । ସତର୍କତାମୂଳକ ପଦକ୍ଷେପସ୍ୱରୂପ ଉଭୟ ଜିଲ୍ଲାରେ ଇଣ୍ଟର୍ନେଟ୍ ସେବା କାଟି ଦିଆଯାଇଛି ।