କନକ ବ୍ୟୁରୋ : ଓଡିଶାରେ ଧରା ପଡିଛନ୍ତି କୁଖ୍ୟାତ ବାୱାରିଆ ଗ୍ୟାଙ୍ଗ ବା ଲୋରି ଗ୍ୟାଙ୍ଗର ୪ଦୁର୍ବୃତ । ବିଭିନ୍ନ ସହରରେ ଛିନତାଇ, ଲୁଟପାଟ, ଡକାୟତି କରି ପୁରୀରେ ଲୁଚିଥିବା ୪ ଲୁଟେରାଙ୍କୁ ଗିରଫ କରିଛି କମିସନରେଟ ପୁଲିସ । ଉତରପ୍ରଦେଶର ଏହି ବାୱାରିଆ ଗ୍ୟାଙ୍ଗ ହତ୍ୟା ଦୁଷ୍କର୍ମ, ଚୋରି, ଲୁଟ, ରାହାଜାନି, ଡକାୟତି ଭଳି ଅପରାଧ ପାଇଁ କୁଖ୍ୟାତ ଅର୍ଜନ କରିଛି । ପ୍ରାୟ ଦୁଇ ଦଶନ୍ଧି ହେଲା ଉତର ଓ ଦକ୍ଷିଣ ଭାରତରେ ଜଘନ୍ୟ ଅପରାଧ କରି ପୁଲିସର ନିଦ ହଜାଇ ଦେଇଥିଲେ ।

Advertisment

ଆଉ ଦୁଇ ବର୍ଷ ହେଲା ଏହି ବାୱରିଆ ଗ୍ୟାଙ୍ଗ ଓଡିଶା ପାଇଁ ନକ୍ସା ତିଆରି କରି ଏଥିରେ ସଫଳ ବି ହୋଇଥିଲା । ଏମାନଙ୍କ ଅପରେସନ ଆରମ୍ଭ ହେଉଥିଲା, ବାଲେଶ୍ୱରରୁ । ବାଲେଶ୍ୱରରୁ ଲୁଟ କରି ସାରିବା ପରେ ସେମାନେ ସ୍ପିଡ ବାଇକ ଯୋଗେ ସିଧା ସଳଖ ଭଦ୍ରକରେ ପହଂଚୁଥିଲେ । ଧରାପଡିଯିବା ଭୟରେ ଭଦ୍ରକରୁ କଟକ ପରେ ଭୁବନେଶ୍ୱରରେ ଛିନତାଇ କରୁଥିଲେ । ଆଉ ପୁଲିସ ପଞ୍ଝାରୁ ନିଜକୁ ବଞ୍ଚାଇବା ପାଇଁ ପୁରୀରେ ଥିବା ଲଜରେ ଯାଇ ଆତ୍ମଗୋପନ କରୁଥିଲେ । ଗ୍ୟାଙ୍ଗର ୨ ଅଭିଯୁକ୍ତ ଅପରାଧ କରୁଥିବା ବେଳେ ଅନ୍ୟ ୨ ଜଣ ସେମାନଙ୍କ ସହଯୋଗ କରୁଥିଲେ ।

ଏମାନଙ୍କ ନାଁରେ ଓଡିଶାରେ ୨୮ଟି କେସ ରହିଥିବା ପୁଲିସ ଜାଣିବାକୁ ପାଇଛି । ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ଗିରଫ ଅଭିଯୁକ୍ତମାନେ ଉତରପ୍ରଦେଶ ସାମଲି ଜିଲ୍ଲାର ପ୍ରଦୀପ କୁମାର, ବିକାଶ, ରବି କୁମାର, ବାମୁ ରାମ । ସେମାନଙ୍କ ପାଖରୁ ୧୬ଟି ସୁନା ଚେନ, ୨ଟି ପଲସର ବାଇକ, ୨ଟି ମୋବାଇଲ ଓ ଆଧାର କାର୍ଡ, ପାନ କାର୍ଡ ଜବତ କରିଛି କମିସନରେଟ ପୁଲିସ ।

ଦୁର୍ଦ୍ଦାନ୍ତ ‘ବାୱରିଆ ଗ୍ୟାଙ୍ଗ’
କେମିତି ଧରା ପଡିଲେ ?

କିଛି ମାସ ହେଲା କଟକ, ଭୁବନେଶ୍ୱରରେ ଲୁଟପାଟ କରି ପୋଲିସର ନିଦ ହଜାଇ ଦେଇଥିଲେ
ଫେବୃୟାରୀରୁ ମେ ମାସ ମଧ୍ୟରେ କେବଳ ଭୁବନେଶ୍ୱରରେ ୧୫ଟି ମାମଲା ରୁଜୁ ହୋଇଛି
ମର୍ଣ୍ଣିଂୱାକ କରୁଥିବା ମହିଳା ଓ ଯୁବତୀଙ୍କୁ ଏହି ଗ୍ୟାଙ୍ଗ ଟାର୍ଗେଟ କରୁଥିଲେ
ବାଇକରେ ପଇଁତରା ମାରି ସୁନା ଅଳଙ୍କାର ଝାମ୍ପି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରୁଥିଲେ
ବାରମ୍ବାର ରାଜଧାନୀରୁ ଲୁଟପାଟ ହେବାରୁ କମିସନରେଟ ପୁଲିସ ମୁଣ୍ଡବିନ୍ଧା ବଢିଯାଇଥିଲା
ଗ୍ୟାଙ୍ଗକୁ ଧରିବା ପାଇଁ ଡିସିପିଙ୍କ ନିର୍ଦ୍ଦେଶରେ ଏକ ସ୍ପେଶାଲ ସ୍କ୍ୱାର୍ଡ ଗଠନ କରାଯାଇଥିଲା
ପ୍ରଥମେ ଲୁଟ୍ ହୋଇଥିବା ଅଂଚଳର ସବୁ ସିସିଟିଭି ଫୁଟେଜ ସଂଗ୍ରହ କରିଥିଲା ପୋଲିସ
ଲୁଟର ଶିକାର ବ୍ୟକ୍ତିଙ୍କ ଠାରୁ ଲୁଟ ତରିକା ବୁଝିଥିଲେ ସ୍ପେଶାଲ ସ୍କ୍ୱାର୍ଡ ସଦସ୍ୟ
ସିସିଟିଭି ଫୁଟେଜରୁ ଲୁଟେରାଙ୍କ ଦୁଇ ବାଇକକୁ ଚିହ୍ନଟ କରିଥିଲା କମିସନରେଟ ପୋଲିସ
ସମସ୍ତ ତଥ୍ୟ ହାସଲ ପରେ ବାଇକକୁ ପିଛା କରିଥିଲେ ସ୍ପେଶାଲ ସ୍କ୍ୱାର୍ଡର ସ୍ୱତନ୍ତ୍ର ଟିମ୍
ପୁରୀ ରେଳ ଷ୍ଟେସନରେ ବାଇକ ରଖିବା ପରେ ତୁରନ୍ତ ତାଙ୍କୁ କାବୁ କରିଥିଲା ପୋଲିସ
ଦୁଇ ଜଣଙ୍କୁ ପୋଲିସ ଧରିବା ବେଳେ ଘଟଣାସ୍ଥଳରୁ ଜଣେ ଫେରାର ହୋଇଯାଇଛି
ପଚରାଉଚରା ପରେ ପୋଲିସ ଆଗରେ ସତ ମାନିଯାଇଥିଲେ ୨ ଅଭିଯୁକ୍ତ
ଅନ୍ୟ ଦୁଇ ଜଣ ପାଖ ହୋଟେଲରେ ଥିବା ସୂଚନା ସେମାନେ ପୋଲିସକୁ ଦେଇଥିଲେ
ଲୁଟେରାଙ୍କ ଫୋନରୁ ସେମାନଙ୍କୁ ଡକାଇ ଚତୁରତାର ସହ କାବୁ କରିଛି କମିସନରେଟ ପୋଲିସ

କ’ଣ ଏହି ‘ବାୱରିଆ ଗ୍ୟାଙ୍ଗ’?

ବାୱରିଆ ଗ୍ୟାଙ୍ଗ ଉତ୍ତର ଭାରତରୁ ଆରମ୍ଭ ହୋଇଥିଲା
ଏକ ନିର୍ଦ୍ଦିଷ୍ଟ ଜନଜାତିର ଲୋକେ ଏହି ଗ୍ୟାଙ୍ଗ ଗଢିଥିଲେ
ଏହି କୁଖ୍ୟାତ ବାୱାରିଆ ଗ୍ୟାଙ୍ଗର ଅପରାଧିକ ଇତିହାସ ବହୁ ପୁରୁଣା
୧୯୯୫ରୁ ୨୦୦୬ ମସିହା ଯାଏଁ ବିଭିନ୍ନ ରାଜ୍ୟରେ ଏହି ଗ୍ୟାଙ୍ଗ ସକ୍ରିୟ ଥିଲେ
ସଂଗଠିତ ଅପରାଧ କରି ବିଭିନ୍ନ ରାଜ୍ୟର ପୋଲିସଙ୍କ ନିଦ ହଜାଇ ଦେଇଥିଲେ
ଯାଯାବର ଭଳି ରହନ୍ତି, ଅପରାଧ କରିବା ପରେ ଠିକଣା ବଦଳାନ୍ତି
ଦୀପାବଳି ପରେ ପୂଜା କରି ଚୋରି ଆରମ୍ଭ କରିଥାନ୍ତି ଗ୍ୟାଙ୍ଗ ସଦସ୍ୟ
ଏମାନଙ୍କୁ ଚଡି ବନିୟାନ ଗ୍ୟାଙ୍ଗ ବା ଲୋରି ଗ୍ୟାଙ୍ଗ ବୋଲି କୁହାଯାଏ
ଚୋରି କଲା ବେଳେ ଲୋକେ ଧରିନପାରିବେ ବୋଲି ଦେହ ସାରା ତେଲ ଲଗାନ୍ତି
ଭିକାରୀ ବେଶରେ ରେକି କରନ୍ତି ଓ ଲୁଟେରା ବେଶରେ ଲୁଟ କରନ୍ତି
୨୦୦୫ରେ ଗ୍ୟାଙ୍ଗର କିଛି ସଦସ୍ୟ ତାମିଲନାଡୁର ଜଣେ ବିଧାୟକଙ୍କୁ ହତ୍ୟା କରିଥିଲେ

ଦୁର୍ଦ୍ଦାନ୍ତ ‘ବାୱରିଆ ଗ୍ୟାଙ୍ଗ’

ହୋଟେଲରେ ରହୁଥିଲେ, ବିମାନରେ ବୁଲୁଥିଲେ
୨୦୨୨ ମସିହାରେ ଏହି ଗ୍ୟାଙ୍ଗ ଦିଲ୍ଲୀରୁ ଓଡିଶା ଆସିଥିଲେ
ଓଡିଶାରେ ଲୁଟପାଟ ପରେ ସୁନା ଗହଣା ଦିଲ୍ଲୀ ଓ ୟୁପିକୁ ନେଇ ବିକ୍ରି କରୁଥିଲେ
କେବେ ଟ୍ରେନରେ, କେବେ ବିମାନରେ ଦିଲ୍ଲୀ ଓ ୟୁପିକୁ ଯିବା ଆସିବା କରୁଥିଲେ
ପୁଲିସକୁ ଚକମା ଦେବାକୁ ଗ୍ୟାଙ୍ଗର ସଦସ୍ୟ ହୋଟେଲରେ ରହୁଥିଲେ
ପ୍ରତି ୧୫ ଦିନରେ ନିଜର ସ୍ଥାନ ବଦଳାଇ ଅନ୍ୟତ୍ର ରହୁଥିଲେ
ତେବେ ୨୦୨୨ ଜୁନ ଓ ଅଗଷ୍ଟରେ ବେଶ ସକ୍ରିୟ ହୋଇଥିଲେ
ଅଗଷ୍ଟ ପରେ ହଠାତ୍ ଏହି ଗ୍ୟାଙ୍ଗର କାର୍ଯ୍ୟକଳାପ ବନ୍ଦ ହୋଇଯାଇଥିଲା
କିଛି ଦିନର ବ୍ୟବଧାନ ପରେ ହାଠାତ୍ ପୁଣି ଏହି ଗ୍ୟାଙ୍ଗ ଅପରାଧ କରିଥିଲେ
ଗତ ଫେବୃୟାରୀ ଓ ମେ ମାସରେ ଗ୍ୟାଙ୍ଗ ଅଧିକ ସକ୍ରିୟ ହୋଇଥିବା ପୋଲିସର ସୂଚନା