କନକ ବ୍ୟୁରୋ: ଯାଂଚ ହେବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୋଷ୍ଟମର୍ଟମ ରିପୋର୍ଟ । ସୁଶାନ୍ତଙ୍କ ରହସ୍ୟଜନକ ମୃତ୍ୟୁର ତଦନ୍ତ ଆରମ୍ଭ କରିବା ଦିନରୁ ନିଜ ଢଙ୍ଗରେ ମାମଲାର ଛାନଭିନ ଚଳାଇଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା । ଏବେ ମୁମ୍ବାଇ ପୋଲିସ ନିକଟରୁ ଗ୍ରହଣ କରିଥିବା ସୁଶାନ୍ତଙ୍କ ପୋଷ୍ଟ ମର୍ଟମ ରିପୋର୍ଟକୁ ଏମ୍ସର ଏକ ଡାକ୍ତରୀ ଟିମ୍ ଦ୍ୱାରା ଯାଂଚ କରାଇବାକୁ ଚାହୁଁଛି । ଡାକ୍ତର ସୁଧିର ଗୁପ୍ତାଙ୍କ ନେତୃତ୍ୱରେ ଗଠିତ ଏହି ଟିମରେ ୪ ଜଣ ବିଶେଷଜ୍ଞ ଡାକ୍ତର ରହିଛନ୍ତି । ମିଳିଥିବା ସୂଚନା ଅନୁସାରେ ସିବିିଆଇ ଡାକ୍ତରୀ ଟିମ୍ ନିକଟରୁ ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟ ପଠାଇ ସାରିଛି । ଏମ୍ସ ଫୋରେନସିକ ବିଭାଗର ଡାକ୍ତର ସୁଧିର ଗୁପ୍ତା ଅନେକ ଜଟିଳ ହତ୍ୟାକାଣ୍ଡ ମାମଲାରେ ଯାଂଚ କରିଛନ୍ତି ।

Advertisment

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଗୋପିନାଥ ମୁଣ୍ଡେଙ୍କ ସଡକ ଦୁର୍ଘଟଣାରେ ମୃତ୍ୟୁ ମାମଲାର ଛାନଭିନ ସିବିଆଇ କରିଥିଲା । ଏହି ମାମଲାରେ ମଧ୍ୟ ଡାକ୍ତର ସୁଧିର ଗୁପ୍ତା ସିବିଆଇ ସହିତ କାମ କରିସାରିଛନ୍ତି । ସାମ୍ବାଦିକ ନିରୂପମା ପାଠକ, ଶିବାନୀ ଭଟନାଗର ମର୍ଡର କେସ ଓ ନୀତିଶ କଟାରା ହତ୍ୟାକାଣ୍ଡରେ ମଧ୍ୟ ସେ ସିବିଆଇ ଟିମ ସହ ମିଶି କାମ କରିଛନ୍ତି । ତେବେ ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏହି ପୋଷ୍ଟମର୍ଟମ ରିପୋର୍ଟକୁ ଯାଂଚ କରିବା ପରେ ଅଧିକ ସୂଚନା ପାଇଁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପୋଷ୍ଟମର୍ଟମ କରିଥିବା ଡାକ୍ତରଙ୍କୁୁ ମଧ୍ୟ ଜେରା କରିପାରେ । ସେପଟେ ମୁମ୍ବାଇ ପୋଲିସର ତଦନ୍ତକାରୀ ଅଧିକାରୀଙ୍କୁ ମଧ୍ୟ ଗତକାଲି ପ୍ରାୟ ୬ ଘଂଟା ଧରି ପଚରା ଉଚରା କରିଛି ସିବିଆଇ ।